Unknown

 

 

 

 

 

 

 

 

 

 

 

ସନାତନ ଗୀତା

ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ

 

ସୂଚୀପତ୍ର

 

୧.

ବସନ୍ତ ବାସ ହେ ! ଦାସୀ କରେ ଯଦି ଦୋଷ

୨.

ରୂପ ରେଖ ନାହିଁ ଯା’ର ଦେଖ ସେ ରୂପକୁ

୩.

ଶ୍ରୀକୃଷ୍ଣଙ୍କ ସେବା ବିହୀନେ ଏହି ଶରୀର ମୋର

୪.

ହେ ଦେବ, ଦଇତ ଭୁବନୈକ ବନ୍ଧୁ !

୫.

ଦିନେ ବସିଥିଲ ଯଶୋଦାର କୋଳେ,

୬.

ପୁଚ୍ଛଇ ମନ ରାଜନ ଚୈତନ୍ୟ ଚରଣେ,

୭.

ମାନସ ଭକତି ଦେଖି ଭାଷନ୍ତି ଚୈତନ୍ୟ

୮.

ଜୟ ସତ୍,ଚିତ୍, ଆନନ୍ଦ ବ୍ରହ୍ମ ହେ ଶରଣ ଜନ ରକ୍ଷଣ

୯.

ଅଭୁଲା କୃଷ୍ଣ ହେ ମୋ ଜୀବନ ସର୍ବସ୍ଵ

୧୦.

ପରମ ଈଶ୍ଵର ପରାର ପରାଣ ବନ୍ଧୁ ହେ କହିବି କେତେ

୧୧.

ପୁଚ୍ଛଇ ମାନସ ବେନି କର ଯୋଡ଼ି

୧୨.

କାରୁଣ୍ୟ କରୁଣାନିଧି ହେ ମୋ ଜୀବନ ସର୍ବସ୍ଵ

୧୩.

ପୁଚ୍ଛଇ ମାନସ ବେନି କର ଯୋଡ଼ି

୧୪.

କୃତାଞ୍ଜଳି ପୁଟେ ସ୍ତବ ଆରମ୍ଭିଲା

୧୫.

ଯାଅ ଉଡ଼ି କଳା କୋଇଲି ମୋର ଆଦେଶ ନେଇ

୧୬.

ଶ୍ୟାମ ସୁନ୍ଦର ହେ ! ଉଇଁବକି ସତେ ଅଂଶେ

Image

 

ଶ୍ରୀ ଅଭିନ୍ନ ସୁନ୍ଦର ଜୟତି

ଶ୍ରୀ ଗୁରୁ ଗାୟତ୍ରୀ

 

ଓଁ କ୍ଲୀଂ ଗୁରୁଦେବାୟ ବିଦ୍ମହେ ପ୍ରେମଦାତାୟୈ ଧୀମହି

ତନ୍ନୋଗୁରୁ ପ୍ରଚୋଦୟା ।

ଓଁ କ୍ଲୀଁ ଗୁରୁଦେବାୟ ପ୍ରେମଦାତାୟୈ ନମଃ

 

–ସ୍ତବ–

 

ବସନ୍ତ-ବାସ ହେ ! ଦାସୀ କରେ ଯଦି ଦୋଷ

 

ଗୋଷ୍ଠ ଚନ୍ଦ୍ରମା କିପରି କରିବେ କି ରୋଷ

।୧।

ନଟରାଜ ନୁହଁ ତୁମ୍ଭେ କହି ପାରିବ କି?

 

ଯନ୍ତ୍ରୀ ଛଡ଼ା ଏ ଯନ୍ତ୍ରକୁ କିଏ ବାଉଛି କି ?

।୨।

ଯେତେବେଳେ ଯେଉଁ ନୃତ୍ୟ କରାଅ ପରାଣ,

 

ନୃତ୍ୟ କରୁଥାଏ ବସି, ହେ ରମଣ ଶୁଣ !

।୩।

ସୂତ୍ରଧର ଯେଉଁପରି ନଚାଇ ପାରନ୍ତି,

 

ମୋ ଇଛାରେ ନାଚିବାକୁ ନାହିଁ ମୋର ଶକ୍ତି

।୪।

ଜୀବନ ସବସ୍ଵ ମୋ’ର ହେ ରମଣ ପ୍ରିୟ !

 

ଅଭୁଲା ସଙ୍ଗ ତୋ ପଦେ ମୋହର ଆଶ୍ରୟ

।୫।

 

–୨–

 

ରୂପ ରେଖ ନାହିଁ ଯା’ର ଦେଖ ସେ ରୂପକୁ,

 

ତିମିର ବିଦାରି ଉଇଁଛନ୍ତି ଏ ପାଖକୁ

।୧।

ନୁହଁନ୍ତି ମାନବ ଏ ଯେ ଭବ-ଭୟ-ହାରୀ,

 

ଭାବିବା ଜନକୁ ଦୃଶ୍ୟ ନୁହନ୍ତି କାହାରି

।୨।

ମାୟା ମନୁଷ୍ୟ ରୂପରେ ଖେଳୁଛନ୍ତି ଆସି,

 

ହୃଦ କୁମୁଦ ବନ୍ଧୁ ଏ ସ୍ଵୟଂ ପୂର୍ଣ୍ଣ ଶଶୀ

।୩।

ଦିନମଣିଙ୍କି ଢାଙ୍କିଛି ଦେଖ ମେଘ ଖଣ୍ତ,

 

ୟାଙ୍କ ଲୋମ କୂପେ ଦେଖ ଅଶେଷ ବ୍ରହ୍ମାଣ୍ତ

।୪।

ଗୁପ୍ତଲୀଳା ପ୍ରକାଶିବେ ବେଳ କାଳ ଜାଣି,

 

ଭକତ ବଲଭ୍ଲ ଏ ଯେ ଶଙ୍ଖ-ଚକ୍ର-ପାଣି

।୫।

Image

 

ପଞ୍ଚତତ୍ତ୍ଵ ସ୍ତବ

(ରାଗ–ରାମକେରୀ)

 

ଶ୍ରୀକୃଷ୍ଣଙ୍କ ସେବା ବିହୀନେ ଏହି ଶରୀର ମୋର,

 

କି ହୋଇବ ପ୍ରାଣ ସଖୀରେ ! ଆଉ ଯତ୍ନ ନ କର

।୧।

ଏ ଜୀବନ ଥାଉ ସେବାରୁ ଯଦି କଲେ ବଞ୍ଚିତ,

 

ହୃଦୟ-ବିହାରୀ କରୁଣା ନ କରିଲେ କିଞ୍ଚିତ

।୨।

ତେବେ ପଞ୍ଚଭୂତ ଶରୀର ମିଶୁ ଯେ ଯାହା ସ୍ଥାନେ,

 

ସେବା କରିବେ ମୃତ୍ୟୁ ପରେ ଏ ପଞ୍ଚଭୂତମାନେ

।୩।

ହେ ହୃଦ କୁମୁଦ ଚନ୍ଦ୍ରମା ! ଏହି ବିନତି ମୋର,

 

ତୁମ୍ଭରି ସେବାରେ ଲାଗିବ ପଞ୍ଚଭୂତ ଶରୀର

।୪।

ପୃଥ୍ଵୀରେ ମିଶିବ ପୃଥିବୀ ତୋ ଗମନାଗମନେ,

 

ସେବା କରୁଥିବ ତୋ ପାଦ ପଦ୍ମ ଆନନ୍ଦ ମନେ

।୫।

ଜଳ ମିଶିଯିବ ଜଳରେ ତୋ ସ୍ନାନ ଦୀର୍ଘିକାରେ,

 

ପଖାଳି ଦେବ ଶିରୀଅଙ୍ଗ ନେଇ ଦେବ ତୃଷାରେ

।୬।

ଅନଳେ ମିଶିବ ଅନଳ ମୁକୁରେ ଥିବ ରହି,

 

ମୁଖ ପଦ୍ମକୁ ଦେଖୁଥିବ ଗୋପ ବେଶ ସଜାଇ

।୭।

ପବନେ ମିଶିବ ପବନ ବ୍ୟଜନେ ରହିଥିବ,

 

ବେଳ କାଳ ଜାଣି ଶୀତଳ ବାୟୁ ଆନନ୍ଦେ ଦେବ

।୮।

ଆକାଶେ ମିଶିବ ଆକାଶ ତୁମ୍ଭ ପ୍ରାଙ୍ଗଣେ ରହି ,

 

ସେବା କରୁଥିବ ଏ ବ୍ୟୋମ, ବ୍ୟାନ ବାୟୁ ସଜାଇ

।୯।

ମନ, ବୁଦ୍ଧି, ଅହଂକାର ଏ ମୋତେ ସଙ୍ଗରେ ଧରି,

 

ଭେଟ କରାଇବେ ଶ୍ରୀପଦେ ଧରି ଭକତି ଡୋରି

।୧୦।

ସେତେବେଳେ ଯାହା କରିବ ତୁମ୍ଭ ଇଚ୍ଛା ହେ ଈଶ !

 

ଭାଷେ ଅଭିରାମ ଯେ ଇଚ୍ଛା ତାହା କର ପ୍ରାଣେଶ

।୧୧।

Image

 

ଜୀବର ସ୍ତବ

(କ)

 

ହେ ଦେବ, ଦଇତ ଭୁବନୈକ ବନ୍ଧୁ !

 

ଭବାଘ ନାଶନ ହେ କରୁଣା-ସିନ୍ଧୁ !

।୧।

ହେ ଗୋଷ୍ଠ ଚନ୍ଦ୍ରମା ହୃଦୟ ବଲ୍ଲଭ !

 

ତୁମ୍ଭେ ସିନା ମୋ’ର ଦେବଙ୍କୁ ଦୁର୍ଲଭ

।୨।

ହେ ଅଭୁଲା ମୋର ଜୀବନ ସର୍ବସ୍ଵ !

 

ତୁମ୍ଭ ଛଡ଼ା ସବୁ ଶୂନ୍ୟ ଦିଶେ ବିଶ୍ଵ

।୩।

ଭୌତିକ ଶରୀର କାହା ପାଇଁ ସଖା,

 

କାହା ପାଇଁ ଈଶ ହୁଏ କିଣା ବିକା ?

।୪।

ସବୁବେଳେ ସ୍ନେହ କରୁଛି କାହିଁକି ?

 

କାହା ପାଇଁ କର୍ମ କରେ ମୁଁ ସହିକି ?

।୫।

ଶକ୍ତିକି ତୁମ୍ଭର ପାସୋରିଲ ବନ୍ଧୁ,

 

ହେ ମୋର ହୃଦୟ କୁମୁଦିନୀ ଇନ୍ଦୁ

।୬।

ମୁହିଁ ପରା ଶକ୍ତି ତୁମେ ଶକ୍ତିବାନ୍,

 

ସୁନ୍ଦର ଦିଶେ କି ମତ୍ସ୍ୟ ହୀନ ବନ ?

।୭।

ବନ ହୀନ ହେଲେ କେଶରୀ ଶୋଭନ,

 

ଦିଶିବ କିପରି ଭାଷ ଜୀବ ଧନ

।୮।

ଅନନ୍ତ ନଗଣ୍ୟ ବିଶ୍ଵ ଅଧିକାରୀ,

 

ହେବାରୁ ମନେ ନ ପଡ଼େ ଏ ଭିକାରୀ

।୯।

ଏ ଶରୀରେ ଯେବେ ପ୍ରୀତି ନାହିଁ ତବ,

 

ନେଇଯାଅ ତେବେ କାହିଁକି ରହିବ ?

।୧୦।

ନକ୍ତରୂପୀ ରୋଗ କି ନ ପାରେ କରି,

 

କେଶରୀ କି କରେ ଛାଗଳର ପରି

।୧୧।

ଲକ୍ଷଣବାନକୁ କରେ ଅଲକ୍ଷଣ,

 

ଦିନେ ତ ନ କଲ ବନ୍ଧୁ ହେ ! ବୀକ୍ଷଣ

।୧୨।

ଟାଣି ନିଏ ନକ୍ର ଗଭୀର ଜଳକୁ,

 

କି କରି ପାରିବି କୁମ୍ଭୀର ବଳକୁ ?

।୧୩।

ଜଳରେ ବଳିଷ୍ଠ ଜଳଚର ଦଳ,

 

ଏଣୁ ଗୁଞ୍ଜରର ତୁ ମାତ୍ର ସମ୍ଭଳ

।୧୪।

ସେହି ପ୍ରଭୁ ତୁମ୍ଭେ, ସେହି ହସ୍ତେ ଚକ୍ର,

 

ଅଛି, ମୋର ପାଇଁ ହୋଇଲା କି ବକ୍ର ?

।୧୫।

ନିନ୍ଦା ନ ହୋଇବ ପ୍ରଭୁଙ୍କୁ ଯେପରି,

 

ହୃଦ ଦେବତା ହେ ! କର ସେହିପରି

।୧୬।

ତୁମ୍ଭ ନିନ୍ଦାକୁ ମୁଁ ଡରୁଅଛି ସିନା,

 

ହେ ଜୀବନ ଧନ କୃପା ନେତ୍ରେ ଅନା

।୧୭।

ପଦ୍ମ ନେତ୍ର ଯଦି ମୁଦିବ ପ୍ରାଣେଶ !

 

ସଂସାର ପ୍ରଳୟ ହେବ ଜଗଦୀଶ

।୧୮।

ପଦ୍ମ ନେତ୍ରେ ଯଦି ଚାହିଁ ଦେବ ଧନ,

 

ପୂର୍ବ ପରି ସୃଷ୍ଟି ହୋଇବ ସୃଜନ

।୧୯।

କହନ୍ତି କାହାକୁ ଆଉ କେହି ନାହିଁ,

 

ବସିଛି ତୁମ୍ଭର ଆସିବାକୁ ଚାହିଁ

।୨୦।

ଖେଳୁଆଡ଼ ବୁଦ୍ଧି ମୋ ଧନର ଦେଖି,

 

ସଜାଇଛି କୋଳ ଖେଳିବା ପାଇଁ କି

।୨୧।

ଶୁଭ ଆଗମନ କରନ୍ତୁ ଖେଳକୁ,

 

ବିନାଶ କରନ୍ତୁ ଦୁଷ୍କୃତ ଦଳକୁ

।୨୨।

ଚାହିଁ ରହିଛନ୍ତି ତୋ ଭକତ ଶ୍ରେଣୀ,

 

ଭାବନା ସୁପଥେ ଆସ ଚିନ୍ତାମଣି

।୨୩।

ରଖିଛି ଭୁଞ୍ଜାଇ ଦେବି ରଙ୍ଗାଧାରେ,

 

ପ୍ରାଣ ପ୍ରିୟତମ ଆସ ଧୀରେ ଧୀରେ

।୨୪।

ଉପଗ୍ରହମାନ ଦେଖିବ ଏଣିକି,

 

ନିବେଦନ ଇତି ମୁରଲୀ-ପାଣିକି

।୨୫।

 

(ଖ)

 

ଦିନେ ବସିଥିଲ ଯଶୋଦାର କୋଳେ,

 

ଜହ୍ନମାମୁଁ ଦିଅ ମାଗିଥିଲ ବେଳେ

।୨୬।

ନ ଜାଣେ ଯଶୋଦା ଏ ବ୍ରହ୍ମାଣ୍ଡ ନାଥ,

 

ସାମାନ୍ୟ ବାଳକ ମନେ କଲା ମାତ

।୨୭।

ନୀର କୁମ୍ଭଟିଏ ରଖିଲା ଆଗରେ,

 

ଦେଖ କାହ୍ନୁ ବୋଲି କହି ସରାଗରେ

।୨୮।

ଦେଖିଣ ତୋହର ଅଝଟିଆ ବୁଦ୍ଧି,

 

କୁମ୍ଭରେ ରହିଲେ ଆସି କଳାନିଧି

।୨୯।

ଏବେ ଖେଳ ଧନ ! ଜହ୍ନ ମାମୁଁ ସଙ୍ଗେ,

 

ହସି ଚାହିଁ ଦେଲେ ଅତ୍ୟନ୍ତ ସରାଗେ

।୩୦।

ଯଶୋଦା ଭାବରେ କାଠ କଣ୍ଢାଇକି,

 

ଧରି ଖେଳିଥିଲ ଶତପତ୍ର ଆଖି

।୩୧।

ଏବେ ଅନ୍ୟ ଯୁଗ ଆସିଲାଣି ମାଡ଼ି

 

ରକେଟ ଗଲାଣି ଚନ୍ଦଲୋକେ ଉଡ଼ି

।୩୨।

ରକେଟ ଭିତରେ ଛାଡ଼ିବେ ମନୁଷ୍ୟ,

 

ଚନ୍ଦ୍ରଲୋକେ କରିଯିବେ ବସ ବାସ

।୩୩।

ରେଜିଷ୍ଟ୍ରି ଅଫିସ ପୃଥିବୀରେ ହେବ,

 

ଚନ୍ଦ୍ର ଗ୍ରହ ଜମି ଏଥେ କିଣା ହେବ

।୩୪।

ପାଞ୍ଚ ଦଶ ମୁଦ୍ରା ହୋଇବ ଏକର,

 

କିଣି ଚନ୍ଦ୍ରଲୋକେ ରହିବେ ସୁଖର

।୩୫।

ଥୋକାଏ କିଣିବେ ଯଦି ଭୂମି ବାଡ଼ି,

 

ଏ ସୁଯୋଗ କିପାଁ ମୁହିଁ ଦେବି ଛାଡ଼ି

।୩୬।

ସାର୍ଦ୍ଧ ତିନି ହସ୍ତ ତୁମ୍ଭ ପାଇଁ ଜମି,

 

କିଣିବି ଆନନ୍ଦେ ହେ ଭକତ ପ୍ରେମୀ !

।୩୭।

ଚନ୍ଦ୍ରଲୋକେ ଯାଇ ନିର୍ମାଣିବି ପୁର,

 

ସେ ପୁରେ ବସିବ ଜୀବଧନ ମୋର

।୩୮।

ସେ ଯୁଗରେ ଚନ୍ଦ୍ର ମାଗୁଥିଲ ସିନା,

 

ଏ ଯୁଗେ ସାକ୍ଷାତେ ଖେଳିବ ମୋ ସୁନା

।୩୯।

କେତେ କଥାମାନ ଦେଖିବ ସେଠାରେ,

 

ଘାଟି ହେବ ମଙ୍ଗଳକୁ ସେହିଠାରେ

।୪୦।

ଜମି କିଣା ହେଉଥିବ ଯେତେ ଠାରେ,

 

ତୋତେ ଧରି ମୁହିଁ ଥିବି ସେତେ ଠାରେ

।୪୧।

ଏ ବାଚାଳ ବୁଦ୍ଧି ମୋର କି କାହାର,

 

କ୍ଷମାନିଧି କ୍ଷମା ଗୁଣେ କ୍ଷମା କର

।୪୨।

ଆଧୁନିକ ଅସ୍ତ୍ର ହେଲାଣି ବହୁତ,

 

ପ୍ରଜା ସୃଷ୍ଟି ତୋ’ର ହେବ ଭସ୍ମସାତ୍

।୪୩।

ଚିନ୍ମୟ ଯଦି ହୋଇଯିବ ଡେରି,

 

ଜଡ଼ ମାରୁଥିବ ପରମାଣୁ ଧରି

।୪୪।

ଶୃଙ୍ଖଳା ରଖିବା ପାଇଁ ପ୍ରଜା ସୃଷ୍ଟି

 

ବେଳ ଜାଣି ଜନ୍ମ ହୁଅ ପରମେଷ୍ଠୀ

।୪୫।

ଜଡ଼ ମାରଣାସ୍ତ୍ର ଯଦି ହେବ ବୃଷ୍ଟି,

 

ପଡ଼ିବ ଅରଷ୍ଟି ଭାଙ୍ଗିଯିବ ସୃଷ୍ଟି

।୪୬।

ସହସା ଆସନ୍ତୁ ଚିନ୍ମୟକୁ ଧରି

 

ଉପଗ୍ରହ ବଳ ଦେଖିବ କିପରି

।୪୭।

ଏ ବାୟୁ ମଣ୍ଡଳ ହୋଇଲେ ବିଷାକ୍ତ,

 

ସେତେବେଳେ ଯଦି ଆସ ପ୍ରାଣନାଥ

।୪୮।

ଦେଖିବ ଗୁଡ଼ାଏ ମାତ୍ରକ ଶ୍ମଶାନ,

 

ଅମୃତ ହୋଇବ ନିଶ୍ଚେ ତ ବିଷାନ୍

।୪୯।

ଏଣୁ ଡାକେ ଶୀଘ୍ର ଆସ ମୋ’ର ଈଶ,

 

ତିମିର ବିଦାରି ଉଅଁନ୍ତୁ ଦିନେଶ

।୫୦।

ନ ଜାଣି ପାରନ୍ତ ଯଦି ପ୍ରିୟତମ,

 

ଲେଖି ଜଣାନ୍ତି ମୁଁ ବହୁତ ମରମ

।୫୧।

ତୁମ୍ଭରି ରଚନା ଚିନ୍ମୟ, ଜଡ଼

 

କେତେବେଳେ କେଉଁ ଯନ୍ତ୍ରକୁ ସଜାଡ଼

।୫୨।

ଧୂଳି ଖେଳ ପରି ଭାଙ୍ଗି ଦିଅ ତା’କୁ

 

ବାଜୁଥାଏ ଯନ୍ତ୍ର ବଜାଅ ଯାହାକୁ

।୫୩।

ଲୁଚି ରହିଲେ ତ ନ ଚଳିବ ଆଉ,

 

ଇଚ୍ଛାମୟଙ୍କର ଇଚ୍ଛା ପୂର୍ଣ୍ଣ ହେଉ

।୫୪।

ଭାଷେ ଅଭିରାମ ଅଭିରାମ ପ୍ରାଣ,

 

ବନ୍ଧୁ ତବ ପଦେ କେବଳ ଶରଣ

।୫୫।

ସତର ଅଙ୍କରେ ଆଦ୍ୟ ପର୍ବ ହେଲା,

 

ମଧ୍ୟ ପର୍ବ ସିନା ଅଠରକୁ ଗଲା

।୫୬।

ଊନବିଂଶ ଅଙ୍କେ ସଭା ପର୍ବ ହେବ,

 

ବିଂଶତି ଅଙ୍କରେ ହେଲା ବନ ପର୍ବ

।୫୭।

ବିରାଟ ପର୍ବଟି ଏକବିଂଶେ ସିନା,

 

ଦ୍ଵାବିଂଶେ ଉଦଯୋଗ ପ୍ରଭୁ ଦେଖ କିନା

।୫୮।

ତ୍ରୟବିଂଶେ ଭୀଷ୍ମ ପର୍ବ ଯେବେ ହେବ,

 

ତୁମ୍ଭ ବିନା କାହିଁ ତିରଣ ହଲିବ

।୫୯।

ତୁମ୍ଭେ ସିନା ଅଷ୍ଟାଦଶ ପର୍ବ କର୍ତ୍ତା,

 

ତୁମ୍ଭ ଛଡ଼ା କିଏ ଅଛି କି ଶକତା

।୬୦।

ଧନୁର୍ବେଦ ଚିନ୍ମୟ ଶକ୍ତି ଧରି,

 

ଆସ କଳି ବଳ ଦେଖିବ କିପରି

।୬୧।

ତୁମ୍ଭରି ପ୍ରଣୀତ ଜନଙ୍କୁ ଉଦ୍ଧର,

 

ଏ ରଣ ନଦୀରୁ ତା’ର ମାୟାଧର

।୬୨।

କୈବର୍ତ୍ତ ହୋଇଣ ନ ବାହିଲେ ନାବ,

 

ଭକ୍ତଙ୍କ ଅବସ୍ଥା କିପରି ନ ହେବ

।୬୩।

ଏ ନନ୍ଦିଘୋଷରେ ନ ହେଲେ ସାରଥି,

 

କି କରିପାରିବ ରଥେ ବସି ରଥୀ

।୬୪।

ଯନ୍ତ୍ରୀ ଯଦି ନ ଚଲାଇବେ ଯନ୍ତ୍ରକୁ,

 

ନ ଦେବେଟି ଯଦି ଚିନ୍ମୟ ମନ୍ତ୍ରକୁ

।୬୫।

ତେବେ ତୋ ଧରମ ହୋଇବ ବିନାଶ,

 

ଦେଶ, ମହାଦେଶ ସବୁ ହେବ ଧ୍ଵଂସ

।୬୬।

ନଥିବେ ତୋ ସଙ୍ଗେ ଖେଳିବାକୁ କେହି,

 

ରହିପାରୁ ନାହିଁ ତୁମ୍ଭଙ୍କୁ ନ କହି

।୬୭।

ନିମିତ୍ତ ମାତ୍ରକ ମୋ ଡାକିବା ସିନା,

 

ଯାହାକୁ ଯେପରି ଦେଉଛ ବାସନା

।୬୮।

ଇଚ୍ଛାମୟଙ୍କର ଇଚ୍ଛା ଯେବେ ନାହିଁ,

 

କିଏ ସେ ପାରିବ ତୁମ୍ଭଙ୍କୁ ଉଠାଇ

।୬୯।

ଭାଙ୍ଗିଗଲେ ସୃଷ୍ଟି ତୁମ୍ଭର କି ଯିବ,

 

ଚାହିଁଦେବା ମାତ୍ରେ ସୃଜନ ହୋଇବ

।୭୦।

ମୁହୂର୍ତ୍ତେ ଲାଗିବ ନାହିଁ ଗଢ଼ିବାକୁ,

 

କାହିଁକି ଆସିବ ବନ୍ଧୁ ଲଢ଼ିବାକୁ

।୭୧।

ଏଣୁ ତୁମ୍ଭ ଇଚ୍ଛା ନିର୍ଭର ମୋ ଏହି,

 

ପ୍ରତ୍ୟେକ ମୂଳରେ ତୁମ୍ଭେ ଥାଅ ରହି

।୭୨।

ମୋହର ଜଣାଣ ସିନା ଏକ ଚିତ୍ର,

 

ଦୀନବନ୍ଧୁଙ୍କୁ ମୋ ନୁହଁଇ ବିଚିତ୍ର

।୭୩।

ନିଦ୍ରାଭଙ୍ଗ କରି କୃପା ନେତ୍ରେ ଦେଖ,

 

ତବାଶ୍ରିତ ଜନଙ୍କର ସୁଖ ଦୁଃଖ

।୭୪।

ଶ୍ରୀପଦ-କଞ୍ଜରେ ଇତି ନିବେଦନ,

 

ଜଣାଉଛି ବାଇ, ଦୀନବନ୍ଧୁ ଘେନ

।୭୫।

Image

 

ଜୀବର ସ୍ତବ

(୨ୟ ପରିଚ୍ଛେଦ–ମନ)

 

ପୁଚ୍ଛଇ ମନ ରାଜନ ଚୈତନ୍ୟ ଚରଣେ,

 

ଗୁରୁଦେବ ! ବାଟ ପାଉ ନାହିଁ ପଶି ବଣେ

।୧।

ଏ ଦେହ ହୋଇଛି ପ୍ରଭୁ ଅରଣ୍ୟ ସମାନ,

 

ରିପୁଗଣ ସିଂହ ସମ କରନ୍ତି ଭ୍ରମଣ

।୨।

ମନ–ମତ୍ତ ଜୀବ ଆଦି ଗ୍ରାସ କରିବାରେ,

 

ସର୍ବଦା ଭ୍ରମନ୍ତି ଚାରି ଦିଗେ ଅନାହାରେ

।୩।

କି କରିବି ତା ଉପାୟ ଗୁରୁ ମୋତେ କୁହ,

 

ଜୀବନେ ସଂଶୟ ସଦା କମ୍ପୁଅଛି ଦେହ

।୪।

ଧର୍ମ ବୋଲି ସଂସାରରେ ବୋଲନ୍ତି କାହାକୁ ?

 

ବହୁ ପ୍ରକାରେ ପାଳନ୍ତି କିପାଇଁ ଧର୍ମକୁ ?

।୫।

ଧର୍ମ ଏକ କି ଅନେକ ଜାଣିପାରୁ ନାହିଁ,

 

କେ କହନ୍ତି ଆମ୍ଭ ଧର୍ମ ବଡ଼ ବୋଲି କହି

।୬।

ଧର୍ମ ସଂସ୍ଥାପନ ଅର୍ଥେ ଯୁଗ ଅନୁସାରେ,

 

ଆସନ୍ତି କେ ଧର୍ମ ସ୍ଥାପିବାକୁ ଏ ସଂସାରେ

।୭।

କେଉଁ ଧର୍ମକୁ କିପରି କରନ୍ତି ସ୍ଥାପନ,

 

ଏ ସଂସାରେ ଏକ କିମ୍ଵା ଦୁଇ ଭଗବାନ

।୮।

ବିଶ୍ଲେଷଣ କରି କୁହ ସଂଶୟ ମୋ ଯାଉ,

 

ମନର ବେଦନା ତବ କୃପାରେ ନଥାଉ

।୯।

ମୁଁ ଯଦି ତୁମ୍ଭର ପଦ ଦାସକୁ ଭାଜନ,

 

କଳୁଷିତ ମୁହିଁ ମୋତେ କରନ୍ତୁ ମାର୍ଜନ

।୧୦।

ବିଶ୍ଵର ରାଜନ ମୁହିଁ ତୁମ୍ଭେ ମୋ ରାଜନ,

 

ପୋଛି ଦିଅ ମୋର ଯେତେ ରହିଛି ବୃଜିନ

।୧୧।

ସଦାନନ୍ଦ ଦେଇ ମୋତେ ନିତ୍ୟ ସ୍ଥାନେ ରଖ,

 

ହେ ପୁରୁଷୋତ୍ତମ ! ମୋତେ ରଖ ତୁମ୍ଭ ପାଖ

।୧୨।

Image

 

ଚୈତନ୍ୟ

 

ମାନସ ଭକତି ଦେଖି ଭାଷନ୍ତି ଚୈତନ୍ୟ,

 

ଧନ୍ୟ ପ୍ରଶ୍ନ ଏକ ଆଣି ପୁଚ୍ଛା କଲୁ ମନ

।୧।

ଧର୍ମ ସଂସ୍ଥାପନେ ଆସି ଜନମନ୍ତି ହରି,

 

ସେହି ଧର୍ମ ତୋର ଆଗେ କହିବି ବିସ୍ତାରି

।୨।

ମାଳ ମାଳ ହୋଇଣ ବ୍ରହ୍ମାଣ୍ଡ ରହିଛନ୍ତି,

 

ହରିଙ୍କ ଲୋମ କୂପରେ କି ଶୋଭା ଦିଶନ୍ତି

।୩।

ତାରକା ପଂକ୍ତିକୁ ତୁହି ଲକ୍ଷ୍ୟକର ମନ,

 

ବ୍ରହ୍ମାଣ୍ଡ ଗୋଟି କେ ତାରା ଗୋଟିଏ ଶୋଭନ

।୪।

ଯେତେ ଏ ବ୍ରହ୍ମାଣ୍ଡ ତେତେ ତାରକାକୁ ଗଣ,

 

ଉପର ତଳ ସେ କିଛି ନୁହଁଇ ବାରଣ

।୫।

ଏ ବ୍ରହ୍ମାଣ୍ଡ ଦିଶେ ସେ ବ୍ରହ୍ମାଣ୍ଡକୁ ତାରକା,

 

ତାଙ୍କୁ ଦିଶେ ଏ ବ୍ରହ୍ମାଣ୍ଡ ତାରା ପରି ଏକା

।୬।

ୟାଙ୍କୁ ଦିଶେ ସେ ଉପର ତାଙ୍କୁ ଏ ଉପର,

 

କେଉଁ ବ୍ରହ୍ମାଣ୍ଡ ସମ୍ଵନ୍ଧ ନାହିଁ କାହା ପର

।୭।

ଯେପରି ଅଟଇ ଏହି ସଉର ଜଗତ,

 

ବ୍ରହ୍ମା ବିଷ୍ଣୁ ରୁଦ୍ର ସର୍ବ ଦେବେ ଏଥିସ୍ଥିତ

।୮।

 

 

 

 

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ନେଇ,

 

ଦେବଲୋକ ନାଗ ଲୋକ ନର ଲୋକ ଥାଇ

।୯।

ଉଡ଼ା ବୁଡ଼ା ଚଳାଚଳ ସକଳ ରହିଛି,

 

ଚନ୍ଦ୍ର ସୂର୍ଯ୍ୟ ଗତି ନେଇ ରଚନା ହୋଇଛି

।୧୦।

ଏହିପରି ସେ ବ୍ରହ୍ମାଣ୍ଡେ ସକଳ ରହସ୍ୟ,

 

କାହାର ଯେ କାହା ସଙ୍ଗେ ନାହିଁ ସାମଞ୍ଜସ୍ୟ

।୧୧।

ବ୍ରହ୍ମା, ବିଷ୍ଣୁ, ରୁଦ୍ର ଏହି ବ୍ରହ୍ମାଣ୍ଡ ଦେବତା,

 

ସେ ବ୍ରହ୍ମାଣ୍ଡେ ଏ ତିନିଙ୍କ ନ ଥାଇ କ୍ଷମତା

।୧୨।

ଏଣୁ କୋଟି କୋଟି ବ୍ରହ୍ମା, ବିଷ୍ଣୁ, ଶିବ କହି,

 

ଓଁକାର ଅକ୍ଷରେ ମାତ୍ର ଖେଳ ଲାଗିଥାଇ

।୧୩।

ସେ ବ୍ରହ୍ମାଣ୍ଡେ ଅଧିକାର ନାହିଁ ଏହାଙ୍କର,

 

ଏ ବ୍ରହ୍ମାଣ୍ଡେ ଅଧିକାର ନାହିଁ ତାହାଙ୍କର

।୧୪।

ସବୁ ବ୍ରହ୍ମାଣ୍ଡର ମୂଳାଧାର ଏକ ହରି,

 

ରେ ମାନସ ! ତାଙ୍କ ନାମ ଗୋଲକ ବିହାରୀ

।୧୫।

ସ୍ଵୟଂ ଭଗବାନ ସର୍ବ କାରଣ କାରଣ,

 

ସତ୍, ଚିତ୍, ଆନନ୍ଦ ପରଂବ୍ରହ୍ମ ନାରାୟଣ

।୧୬।

ସମସ୍ତ ଐଶ୍ଵର୍ଯ୍ୟ ସେହି ସର୍ବ ଧର୍ମ ମୂଳ,

 

ସମଗ୍ର ଯଶଟି ସେହି ସ୍ଵୟଂ ଆଦିମୂଳ

।୧୭।

ସମଗ୍ର ମୋକ୍ଷ ଯୋଗ ସେ ବୈରାଗ୍ୟ ସମସ୍ତ,

 

ସର୍ବଶକ୍ତିବାନ ସେହି ସର୍ବ ବିଶ୍ୱନାଥ

।୧୮।

ସେଠାରୁ ଆସନ୍ତି ସର୍ବ ଅବତାର ମାନ,

 

ଅବତାରୀ ଅଟନ୍ତି ସେ ସ୍ଵୟଂ ଭଗବାନ

।୧୯।

ଅଂଶ, ଶକ୍ତି, କଳାମାନ ସେଠାରୁ ଆସନ୍ତି,

 

ଦୁଷ୍କୃତ ବିନାଶ କରି ଧର୍ମକୁ ସ୍ଥାପନ୍ତି

।୨୦।

ଅନନ୍ତ ଶକ୍ତି, ସମ୍ପନ୍ନ ସ୍ଵୟଂ ଭଗବାନ,

 

ଇଚ୍ଛାବଳେ ଅରୂପ ସେ ରୂପେ ଶୋଭାବନ

।୨୧।

ଭକ୍ତ ଭାବଗ୍ରାହୀ ସେ ଯେ ଭକତଙ୍କ ପାଇଁ,

 

ଯାହାର ଯେ ରୁଚି ସେହିପରି ଥାନ୍ତି ରହି

।୨୨।

ଅଦ୍ୱୈତ ବ୍ରହ୍ମ ରୂପରେ ଯେମାନେ ଭାବନ୍ତି,

 

ଜ୍ୟୋତିର୍ମୟ ରୂପେ ତାଙ୍କୁ ଦର୍ଶନ ଦିଅନ୍ତି

।୨୩।

ସର୍ବଭୂତ ଅନ୍ତର୍ଯ୍ୟାମୀ ହୃଦୟ କନ୍ଦରେ,

 

ଦର୍ଶନ ଦିଅନ୍ତି ଭକତଙ୍କୁ ଆନନ୍ଦରେ

।୨୪।

ଯେ ଭାବେ ଯେପରି ଦେଖା ଦିଅନ୍ତି ସେପରି,

 

ନ ଭାବିବା ଜନ ତାଙ୍କୁ ଜାଣିବ କିପରି

।୨୫।

ଆଧାରାଦି ବିଶେଷରେ ମଣି ଯେଉଁପରି,

 

ନୀଳ ପୀତ ବର୍ଣ୍ଣ ଆଦି ଦିଶଇ ଯେପରି

।୨୬।

ଆରାଧନା ଭେଦରେ ସେପରି ଭଗବାନ,

 

ବିବିଧ ରୂପରେ ହରି ଦିଶନ୍ତି ତେସନ

।୨୭।

ପୁଚ୍ଛିଥିଲୁ ଭଗବାନ ଏକ କିମ୍ଵା ଦୁଇ,

 

ଏକରୁ ଦୁଇ ହେଲେ କି ସଂସାର ଚଳଇ

।୨୮।

ସବୁ ରୂପେ ସବୁ କୁଞ୍ଜେ ଏକ ଭଗବାନ,

 

ଭକ୍ତ ଭାବରେ ଧରନ୍ତି ବହୁ ରୂପମାନ

।୨୯।

କେ କହନ୍ତି ଭଗବାନ ଅଟନ୍ତି ଅରୂପ,

 

କେ କହନ୍ତି ଭଗବାନ କମନୀୟ ରୂପ ।

।୩୦।

କେ କହେ ଅଲେଖ ଆଲ୍ଲା କେ କହେ ଈଶ୍ଵର,

 

ଏକ ଭଗବାନ ସେହି ସମସ୍ତ ବିଶ୍ଵର

।୩୧।

କେ ଭାଷଇ ଗୁଣ କେହି ଭାଷଇ ନିର୍ଗୁଣ,

 

ସବୁରି ଈଶ୍ଵର ପରଂବ୍ରହ୍ମ ନାରାୟଣ

।୩୨।

କେ ଭାବଇ ରୂପ ସଙ୍ଗେ ମୋର ପ୍ରୀତି ନାହିଁ,

 

ଅରୂପାନନ୍ଦ ହୁଅନ୍ତି ସେ ଭକତ ପାଇଁ

।୩୩।

ବାଳକ ବୁଦ୍ଧି ତାହାର ନ ଜାଣିଲା କିଛି,

 

କାହା ସଙ୍ଗେ ଖେଳିବାକୁ ଜନମ ହୋଇଛି

।୩୪।

ଅପର ସଙ୍ଗେ ଖେଳିବ କାହାକୁ ସେ ଧରି,

 

ଅଙ୍ଗ ପ୍ରତିଅଙ୍ଗମାନ ନ ଥାଇ ଯାହାରି

।୩୫।

ଦେଖିବ କଅଣ ? ଡାକୁଅଛି ସେ କାହିଁକି ?

 

ଜ୍ୟୋତିଃ କି ଦେଖିଲେ ରୂପ ହେଲା ସେ ନାହିଁକି

।୩୬।

ଜ୍ୟୋତିଃ ହେଲା କାର୍ଯ୍ୟ ଜ୍ୟୋତିଃ ଭିତରେ କାରଣ,

 

ରହିଛନ୍ତି ଦେଖ ପରଂବ୍ରହ୍ମ ନାରାୟଣ

।୩୭।

ଜ୍ୟୋତିଃ-ମଣ୍ଡଳରେ ରୂପ ଦେଖନ୍ତି ଭକତେ,

 

କାର୍ଯ୍ୟ ଭିତରେ ଦେଖନ୍ତି କାରଣକୁ ଗୁପ୍ତେ

।୩୮।

ଭକ୍ତଙ୍କ ବାଞ୍ଛିତ ରୂପ ଦେବଗଣ ଧ୍ୟେୟ,

 

ଭକ୍ତ ରମ୍ୟ ମନୋହର ଅତି କମନୀୟ

।୩୯।

ଚନ୍ଦ୍ର ପ୍ରଭା ଜିଣି ଶୋଭା ଶ୍ରୀଯୁକ୍ତ ଶରୀର,

 

ତ୍ରିଭଙ୍ଗ ଭଙ୍ଗିମା ରୂପ ଅତି ମନୋହର

।୪୦।

କିଶୋର ବୟସ ଗୋପ ବେଶ ଭଗବାନ,

 

ଝଲସି ପଡ଼ଇ କୋଟି କନ୍ଦର୍ପ ଲାବଣ୍ୟ

।୪୧।

ଶରତ ମଧ୍ୟାହ୍ନ କାଳ ପଦ୍ମପତ୍ର ପରି,

 

ଦିଶଇ ନୟନ ଯୁଗ ବିଶେଷ ମାଧୁରୀ

।୪୨।

ଶରତ ପାର୍ବଣ ଚନ୍ଦ୍ର ଶୋଭାରୁ ଅଧିକ,

 

ବଦନ ମଣ୍ଡଳ ପ୍ରଭା ଦିଶେ ଜକ ଜକ

।୪୩।

ସୁରଙ୍ଗ ଅଧରେ ଶୋହେ ଶୁଭ ମନ୍ଦ ହାସ,

 

କଟି ତଟେ ବିରାଜଇ ଝୀନ ପୀତବାସ

।୪୪।

ପରଂବ୍ରହ୍ମ ସ୍ଵରୂପ ସେ ଦେବ ଭଗବାନ,

 

ବ୍ରହ୍ମତେଜ ବିରାଜିତ ସର୍ବ ଅଙ୍ଗ ପୂର୍ଣ୍ଣ

।୪୫।

ଏମନ୍ତ ରୂପକୁ ଭକ୍ତମାନେ ବସି ନିତି,

 

ଆନନ୍ଦ ହୋଇ ମନରେ ଭାବନା କରନ୍ତି

।୪୬।

ଯାହାଙ୍କ ଭୟରେ ବ୍ରହ୍ମା ସୃଷ୍ଟି ସରଜନ୍ତି,

 

ଯାହାଙ୍କ ଆଜ୍ଞାରେ ବିଷ୍ଣୁ ସଂସାର ପାଳନ୍ତି

।୪୭।

ଯାହାଙ୍କ ଆଜ୍ଞାରେ ହର କରନ୍ତି ସଂହାର,

 

ଯାହାଙ୍କ ଆଜ୍ଞାରେ ବାୟୁ ବହେ ନିରନ୍ତର

।୪୮।

କିରଣ ଦିଶଇ ସୂର୍ଯ୍ୟ ଯାହାଙ୍କ ଭୟରେ,

 

ବରଷା କରନ୍ତି ଇନ୍ଦ୍ର ଆଜ୍ଞା ଅନୁସାରେ

।୪୯।

ଯାହାଜ୍ଞ ଆଜ୍ଞାରେ ମୃତ୍ୟୁ ଦେବ ବୁଲୁଥାଇ,

 

ସମୟାନୁସାରେ ବାନ୍ଧି ନେଇ ଯାଉଥାଇ

।୫୦।

ଯା ଆଜ୍ଞାରେ ଅଗ୍ନି ସବୁ କରଇ ଦହନ,

 

ସୁଶୀତଳ ହୁଏ ଜଳ ଯା ଆଜ୍ଞାରେ ମନ

।୫୨।

ଦଶ ଦିଗପାଳେ ଦଶ ଦିଗକୁ ଆବୋରି,

 

ରହିଥାନ୍ତି ସବୁବେଳେ ଜଗୁଆଳ ପରି

।୫୩।

ଆକାଶରେ ଗ୍ରହ ସଙ୍ଗେ ନକ୍ଷତ୍ର ମଣ୍ଡଳ,

 

ଭ୍ରମନ୍ତି ଯାହାଙ୍କ ଆଜ୍ଞା ମାନି ବେଳ କାଳ

।୫୪।

ସେ ପ୍ରଭୁ ଅଟନ୍ତି ସ୍ଵୟଂ ଗୋଲକ ବିହାରୀ,

 

ଯେ ଭାବିଛି ଭକତିରେ ସେ ପ୍ରଭୁ ତାହାରି

।୫୫।

ପ୍ରଣୀତ ଜନଙ୍କଠାରେ ଅଶେଷ କରୁଣା,

 

ମନୁଷ୍ୟ ମାୟାରେ ପଡ଼ି ହୁଏ ବାଟ ବଣା

।୫୬।

ରେ ମାନସ ! ଏକ ମାତ୍ର ଧର୍ମ ସିନା ସେହି,

 

ଦ୍ଵିତୀୟ ଧର୍ମ ଖୋଜିଲେ ମିଳିବ ବା କାହିଁ

।୫୭।

ଭକତିରେ ଧରି ରମ ସେ ଅଭୟ ପାଦ,

 

ଅବିଦ୍ୟା କଣ୍ଟାକୁ ଜ୍ଞାନ-ଖଡ଼୍ଗ ଧରିଛେଦ

।୫୮।

ଧର୍ମ ବୋଇଲେ ବୁଝିବ ଏକ ଭଗବାନ,

 

ଯେତେ କର୍ମକର ସବୁ ଧରମ କରମ

।୫୯।

ସଂପ୍ରଦାୟରେ ଲାଗିଛି ସିନା କଳିଗୋଳ,

 

ଧର୍ମ ନୀତି ନ ଥିବାରୁ ହୁଅଇ କନ୍ଦଳ

।୬୦।

ପ୍ରଥମେ ଧର୍ମ ନ ଥିଲେ ନୀତି ରହିବ କି ?

 

ଧର୍ମ ଛଡ଼ା ନୀତି କେବେ ତିଷ୍ଠି ପାରିବ କି ?

।୬୧।

ବିଶ୍ଵରେ ନିୟତ, ନିତ୍ୟ, ନିର୍ଦ୍ଦିଷ୍ଟଟି ଯେହି,

 

ଲୋକ ବ୍ୟବହାରେ ଯେଉଁ କରମ ହୁଅଇ

।୬୨।

ସମାଜରେ ସ୍ଥିତିମାନ ଶୃଙ୍ଖଳାରେ ରହେ,

 

ଧରମ ଏ ବୋଲି କହି ଅଛନ୍ତି ମୁନିଏ

।୬୩।

ଏଥିରେ ଜନ ସମାଜ ଥାନ୍ତି ଧରା ହୋଇ,

 

ତେଣୁ ଧରମ ବୋଲିଣ ଏହି ମାର୍ଗ କହି

।୬୪।

ସିଦ୍ଧ, ଗୁପ୍ତ ସନାତନ ଧର୍ମ ଏହି ଜାଣ,

 

ଧରିଛନ୍ତି ସମସ୍ତଙ୍କୁ ସ୍ୱୟଂ ନାରାୟଣ

।୬୫।

ଯିଏ ଧରିଛନ୍ତି ତୋତେ ତୁହି ତାଙ୍କୁ ଧର,

 

ଧର୍ମଙ୍କୁ ସବୁ କରମ ସମର୍ପଣ କର

।୬୬।

ରେ ମାନସ ! ବିଶ୍ୱବାସୀମାନଙ୍କ ଏ ଧର୍ମ,

 

ଏତଦ୍ଭିନ୍ନ ଅନ୍ୟ ଧର୍ମ କନ୍ଦଳ କରମ

।୬୭।

ରେ ମାନସ ! ଦେଖ ନିଦ୍ରା; ଆହାର; ମୈଥୁନ,

 

ପ୍ରତ୍ୟେକ ଜୀବ ଅଙ୍ଗରେ ହୋଇଅଛି ପୂର୍ଣ୍ଣ

।୬୭।

ଜ୍ଞାନେନ୍ଦ୍ରିୟେ, କର୍ମେନ୍ଦ୍ରିୟେ କର୍ମ ହୁଏ ଯେତେ,

 

ସସାଗରା ଜୀବ ପାଇଁ ଏକଇ ସମସ୍ତେ

।୬୮।

ତୋ’ର ଦୁଃଖ, ସୁଖ ଅନ୍ୟ ଦୁଃଖ, ସୁଖମାନ,

 

ରେ ମାନସ ! ଦେଖ ତୁହି ସକଳ ସମାନ

।୬୯।

ତେବେ ଧରମ କିମ୍ପାଇଁ ଦୁଇ ହୋଇବ କି ?

 

ଏ ଅର୍ଥ ବୁଝିଲେ ବହୁ ଧରମ ଥିବ କି ?

।୭୦।

ହିନ୍ଦୁ, ଇସଲାମ, ଖ୍ରୀଷ୍ଟ ଏକ ଧର୍ମ କହି,

 

ନ ବୁଝିବା ହେତୁ ତ୍ରୟ ମାର୍ଗରେ ଚଳଇ

।୭୧।

ଯେତେବେଳେ ବୁଝିଯିବେ ବିଶ୍ଵବାସୀ ଜନ,

 

ସମସ୍ତ ଜୀବନ କର୍ତ୍ତା ଏକ ଭଗବାନ

।୭୨।

ସେତେବେଳେ ଧର୍ମ ମାନ ମୀମାଂସ ହୋଇବ,

 

ବିପ୍ଳବ ମାନ ପୃଥ୍ଵୀରୁ ଲୋପ ହୋଇଯିବ

।୭୩।

ଦୁଃଖ ବା ଦୁର୍ଦ୍ଦଶାମାନ ପଳାଇବେ ଘୁଞ୍ଚି,

 

ବ୍ରହ୍ମପୁରେ ଥାଇ ଡାକ ଦିଅନ୍ତି ବିରଞ୍ଚି

।୭୪।

ମାରଣାସ୍ତ୍ରମାନ ସବୁ ହେବ ଅଦର୍କାର,

 

ଯେ ଯାହା ରାଜ୍ୟରେ ବସି ଗଢ଼ିବେ ସର୍କାର

।୭୫।

କାହାଠାରେ କାହାର ନ ଥିବ ଈର୍ଷାମାନ,

 

ସମୟାନୁସାରେ ହେବ ଶୁଣି ଥାଅ ମନ

।୭୬।

ସନାତନ ଧର୍ମକର୍ତ୍ତା ଯୋଗେଶ୍ଵର ହରି,

 

ଏ ଧର୍ମ ସ୍ଥାପିବେ ଦିନେ ନର ତନୁ ଧରି

।୭୭।

ଯୁଗେ ଯୁଗେ ହ୍ଵନ୍ତି ଧର୍ମ ସ୍ଥାପିବାକୁ ଜାତ,

 

ନୋହିଲେ ଏ ପୃଥ୍ଵୀଦେବୀ ହ୍ଵନ୍ତା ରସାଗତ

।୭୮।

ଆଧୁନିକ ଅସ୍ତ୍ରମାନ ବିପଦ ଜନକ,

 

ନିକ୍ଷେପ ହେଲେ ପୋଡ଼ିବ ସବୁ ଦେଶଯାକ

।୭୯।

ପ୍ରଜା ସୃଷ୍ଟିମାନ ସବୁ ଧ୍ଵଂସ ହୋଇଯିବ,

 

ପରିଣାମରେ କେବଳ ଧୂଳି ପାଂଶ ଥିବ

।୮୦।

ଜନମ ନ ହୋ ଇଥିବେ ଯେବେ ଦିନବନ୍ଧୁ,

 

ଦିନ ସରିବ ତ ନାହିଁ ବସି କାନ୍ଦୁ କାନ୍ଦୁ

।୮୧।

ଜ୍ଞାନଶୂନ୍ୟ ହୋଇଥିବେ ଅସ୍ତ୍ରଧାରୀମାନେ,

 

ଧର୍ମଜ୍ଞାନ ତିଳେ ମାତ୍ର ନଥିବ ସେ ମନେ

।୮୨।

ଏଣୁ ଦୟାମୟଙ୍କର ଅଛି ଅବତାର,

 

ଗୋପନ ହୋଇଅଛନ୍ତି ଭାରତ ଭୂମିର

।୮୩।

ବେଳ କାଳ ଜାଣି ଆତ୍ମା କରିବେ ପ୍ରକାଶ,

 

ଶିଷ୍ଟ ପାଳି ଦୁଷ୍କୃତଙ୍କୁ କରିବେ ବିନାଶ

।୮୪।

ଚିନ୍ମୟ ମନ୍ତ୍ରରେ ଜଡ଼ ଯନ୍ତ୍ରମାନ ନାଶି,

 

ଏଥିପାଇଁ ଯୁଗେ ଯୁଗେ ଜନ୍ମ ହ୍ଵନ୍ତି ଆସି

।୮୫।

ଦିନମଣି ଉଦେ ହେଲେ ଅନ୍ଧାର ଥିବ କି ?

 

ଅଭୟ ଉଦୟ ହେଲେ ଭୟ ରହିବ କି ?

।୮୬।

ସର୍ବେ ଏକମୁଖ ହୋଇ ଡାକ ଏକାଗ୍ରତେ,

 

ଯୋଗେଶ୍ଵର ହରି’ଛନ୍ତି ନୟନ ଅଗ୍ରତେ

।୮୭।

ମାପ କାଠି ନ ଧରିଲେ କିଏ ଦେଖିବ କି ?

 

ହୃଦୟ ଯନ୍ତ୍ରେ ନ ବାନ୍ଧି କିଏ ପାଇଛି କି ?

।୮୮।

ସର୍ବେ ଏକମୁଖ ହୋଇ ଡାକିଲେ ହରିଙ୍କି,

 

ଅନ୍ତର୍ଯ୍ୟାମୀ ଦମ୍ଭାମୟ ଲୁଚି ରହିବେ କି ?

।୮୯।

କରିବେ କର୍ତ୍ତବ୍ୟ କର୍ମ ବିଶ୍ଵ ଶାନ୍ତି ପାଇଁ,

 

ସୂର୍ଯ୍ୟ ଉଦେ ହେଲେ ନିଶି ରହିବ ବା କାହିଁ ।

।୯୦।

ବୃଜିନ ବିନାଶ କରି ସୁଜନ ପାଳିବେ,

 

ଭକ୍ତ ସଙ୍ଗେ ଖେଳି ନିଜପୁରେ ଚଳିଯିବେ ।

।୯୧।

ନିଜ-ପୁର ତ ତାଙ୍କର ଭକ୍ତଙ୍କ ହୃଦୟ,

 

ଭକ୍ତ ହୃଦେ ଭୋଗ ବିଳସିବେ ଦୟାମୟ ।

।୯୨।

ଯେଉଁ ପୁରରେ ଖେଳିବେ ବଇକୁଣ୍ଠ ଯାଇ,

 

ବଇକୁଣ୍ଠ-ପୁର ସିନା ସେ ପୁରକୁ କହି ।

।୯୩।

ଏଣୁ ଭକତ ହୃଦୟ ବଇକୁଣ୍ଠ ପୁର,

 

ମୋହରେ ପଡ଼ିବେ ଯିଏ କହିବେ ମୋହର

।୯୪।

ନିଶ୍ଚିନ୍ତ ବିବେକମାନେ ଖେଳିବେ ସେ ପୁରେ,

 

ପ୍ରେମୀ ଭକତମାନଙ୍କୁ ଧରିଣ ସଙ୍ଗରେ

।୯୫।

ଅଷ୍ଟ-କାଳ ସେବାର୍ଚ୍ଚନ ସେ ପୁରରେ ହେବ,

 

ଭକ୍ତ ଭଗବାନ ଅଙ୍ଗ ବାରଣ ନୋହିବ

।୯୬।

ଭାଷେ ଅଭିରାମ ରମା ରମଣ ପ୍ରିୟଙ୍କୁ,

 

କର୍ମ ଫଳ ନୁହେଁ ମୋର, ଦେଇଛି ମୁଁ ତାଙ୍କୁ

।୯୭।

ପରାଣ ବନ୍ଧୁ ହେ ! ପରାପର ନାହିଁ ତୋ’ର,

 

ସବୁବେଳେ କହୁ ଥାଉ ଭକତ ମୋହର

।୯୮।

କି ମନ୍ତ୍ର ଯନ୍ତ୍ର କରଇ ଭକତ କି ତୋତେ ?

 

ବୈକୁଣ୍ଠପୁରର ସୁଖ ନ ରୁଚେ କିଞ୍ଚିତେ

।୯୯।

ଭକ୍ତ ରସନାରେ କିଛି ଅମୃତ ଥାଏ କି ?

 

ତୋ ଛଡ଼ା ସେ ଗୁପ୍ତ କଥା କିଏ ଜାଣିବକି ?

।୧୦୦।

ଯାହାକୁ ତୁ ଜଣାଇବୁ ଜାଣିବେଟି ସେହି,

 

ଯନ୍ତ୍ରୀ ନ ବାଇଲେ ଯନ୍ତ୍ର ବାଜିକି ପାରଇ ?

।୧୦୧।

ମୋ ହୃଦ ପଦ୍ମ ମିହିର ଗୋଷ୍ଠ-କଳାକର,

 

ହେ କୃପାବାରିଧି ! ଦୀନ ଜନେ କୃପା କର ।

।୧୦୨।

ସବୁବେଳେ ରଖିଥିବ ଶରଣଦ ପଦେ,

 

ଅଭିରାମ ରହିଥାଉ ତୋ ଭାବେ ଆନନ୍ଦେ

।୧୦୩।

Image

 

ଜୀବର ସ୍ତବ

(୩ୟ ପରିଚ୍ଛେଦ–ଶ୍ରୀ ନମଃ)

 

ଜୟ ସତ୍, ଚିତ୍, ଆନନ୍ଦ ବ୍ରହ୍ମ ହେ ଶରଣ ଜନ ରକ୍ଷଣ !

ସତ୍ୟ ଜ୍ଞାନ ଅନନ୍ତ ତୁମ୍ଭେ ସ୍ଵରୂପ କେ କରିବ ନିରୂପଣ ?

ଜୀବର ତୁମ୍ଭର ଅଭେଦ ପୀରତି ଲୀଳା ଯୋଗେ ସିନା ଭିନ୍ନ,

ଲୀଳାକୁ ଜୀବକୁ ସଜାଇ ଦେଇଛ ଅପରା ପ୍ରକୃତିମାନ ।

ଏ ପରା ପ୍ରକୃତି ତୁମ୍ଭ ପ୍ରିୟବତୀ ନିତ୍ୟ ଦାସ ଦାସୀ ଏହି,

ଅପରା ଗହଣେ ପରା ରହିକରି ଡାକୁଛି କର ହେ ତ୍ରାହି ।

ତୁମ୍ଭେ ପରଂବ୍ରହ୍ମ ନାରାୟଣ ମୋ’ର ଅରୂପାନନ୍ଦ ପୁରୁଷ,

ମୁହିଁ ବ୍ୟକ୍ତ ହେଲେ ତୁ ବ୍ୟକ୍ତ ନୋହିଲେ କି ହେବ ମୋ ସାଜି ବେଶ ।

କିଏ ମୋତେ ବେଶ ସଜାଇ ଦେଇଛି କହିଲ ମୋ ଚିନ୍ତାମଣି,

କାହିଁକି ସାଜିଛି କି ଉଦ୍ଦେଶ୍ୟ ତୁମ୍ଭ କିଛି ନ ପାରୁଛି ଜାଣି ?

ସାଜିଅଛ ଯଦି ଆସ ପ୍ରେମାନନ୍ଦ ଆନନ୍ଦେ ଖେଳିବ ଖେଳ,

ତୁମ୍ଭର ମୋହର କିପରି ସମ୍ବନ୍ଧ ଦେଖିବେ ଦୃଶ୍ୟ ସକଳ ।

ଇତି ନିବେଦନ ପ୍ରେମ ଭକ୍ତି ଦାନ ସେବକକୁ ଦୟା ହେଉ,

ଯେଉଁ କର୍ମେ ତୁମ୍ଭ ପରମ ଆନନ୍ଦ ସେହି ଶୁଭାଶିଷ ଥାଉ,

ତୁମ୍ଭେ କୃପାସିନ୍ଧୁ ମୁହିଁ ତୁମ୍ଭ ବିନ୍ଦୁ ବିନ୍ଦୁଟି ଅଟେ ସିନ୍ଧୁର,

ଏଥିପରେ ଆଉ କଥା କିଛି ନାହିଁ ମାର ବା ଉଦ୍ଧରି ଧର ।

ମୋ ବଳେ କିଛି ମୁଁ କରି ନ ପାରଇ ମୋ ବଳ ତୁମ୍ଭରି ବଳ,

ମୁହିଁ ଅଟେ ବଂଶୀ ତୁମ୍ଭେ ବୈଣବିକ ତୁମ୍ଭେ ମୋ ସର୍ବ ସମ୍ବଳ ।

ଅହଂକାର ମୋ’ର ନୁହଇ; ତୁମ୍ଭର ଆଉ କି ରହିଲା କହ,

କର୍ମ-ଫଳ ଯିଏ ସମର୍ପିଛି ତୋତେ ଆନନ୍ଦେ ତା ରଥ ବାହ ।

ଭାରତ ଯୁଦ୍ଧରେ ଆହେ ଗିରିଧର ! କେତେ ଯେ ରଥ ନଥିଲା,

ଅର୍ଜ୍ଜୁନ ରଥରେ ସାରଥି ହୋଇଲ କି ତହିଁ କାରଣ ଥିଲା ?

ଏଣୁ ଏ ଶରୀର ନନ୍ଦିଘୋଷ ରଥ, ଜୀବ ମାତ୍ର ଅଟେ ମୁହିଁ,

ସାରଥି ହୋଇଣ ରଥ ବାହୁଥାଅ, ଅବ୍ୟକ୍ତରୁ ବ୍ୟକ୍ତହୋଇ ।

ଅବ୍ୟକ୍ତରୁ ବ୍ୟକ୍ତ ହୋଇ ଭାବଗ୍ରାହୀ ଶ୍ରୀମୁଖେ କହିଛ ଯାହା,

ମଉଳିକ ବାଣୀ ଭବ ତରଙ୍ଗିଣୀ ଉପନିଷଦଟି ତାହା ।

ସେ ଉପନିଷଦ ସୁରଭି ହୋଇଲା ଦୁଗ୍ଧ ରୂପ ତୁମ୍ଭେ ହେଲ,

ଜୀବାର୍ଜ୍ଜୁନ ବତ୍ସା ରୂପେ ପାନ କଲା ସଂସାରରେ ଯିଏ ଭଲ ।

ସେହି ସାରତତ୍ତ୍ଵ ପାନ କଲା ପାର୍ଥ କହ୍ନାଇ ଗଲ ପହ୍ନାଇ,

ସଜ୍ଜନ ସମୂହ ଦୋହନ କରିଣ ପିଇଲେ ମନ ମନାଇ ।

ସମ୍ପ୍ରଦାୟମାନ ପିଇଲେ ଯତନେ ସେ ଦୁଗ୍ଧକୁ ମୂଳ କରି,

କେ କେତେ ପ୍ରକାରେ କହି ଯାଉଛନ୍ତି ତାହା ଲେଖିବି କିପରି ?

କିଏ ବା ଅଦ୍ଵୈତ, କେ ବିଶିଷ୍ଟାଦ୍ଵୈତ କିଏ ବା ଦ୍ଵୈଇତବାଦ

କେ ଶୁଦ୍ଧାଦ୍ଵୈଇତ ଭେଦାଭେଦ ମତ ଯା’ର ଯେପରି ଆନନ୍ଦ ।

ପରଂବ୍ରହ୍ମ ଜୀବବ୍ରହ୍ମ ଏକ ବୋଲି ଅଦ୍ଵୈତବାଦୀ କହନ୍ତି,

ଜ୍ଞାନ କର୍ମ ସନ୍ନ୍ୟାସକୁ ସାର କରି ସୋଽହଂ ସୋଽହଂ ଭଜୁଥାନ୍ତି ।

ବିଶିଷ୍ଟାଦ୍ଵୈଇତବାଦୀ ନ ମାନନ୍ତି ଅଦ୍ଵୈତବାଦୀମାନଙ୍କୁ,

ଭକ୍ତିହୀନ ଶୁଷ୍କ ଜ୍ଞାନ ବୋଲି କହି ଭଜନ୍ତି ତୁମ୍ଭ ପାଦକୁ ।

କର୍ମ ସନ୍ନ୍ୟାସରେ ଭକ୍ତି ଯୁକ୍ତ କରି ଭଜନ୍ତି ଆନନ୍ଦେ ତୋତେ,

ଯାର ଯେଉଁ ରୁଚି ସବୁମୂଳେ ତୁମ୍ଭେ ଜଣାଇବି ପ୍ରଭୁ କେତେ ।

ସେବ୍ୟ ଓ ସେବକ ରୂପେ ଦ୍ଵୈତବାଦୀ ଭକତିକି କରି ସାର,

ଭଜନ୍ତି ତୁମ୍ଭଙ୍କୁ ନିର୍ମଳ ଭକ୍ତିରେ ହେ ବିଶ୍ଵର ମୂଳାଧାର !

ବିଶିଷ୍ଟାଦ୍ଵୈତବାଦୀଏ ଭଜନ୍ତି ମୋକ୍ଷର ମୂଳ କାରଣ,

ଭଗବତ ଭକ୍ତି ଅଟଇ ପ୍ରଧାନ ହେ ରମଣପ୍ରିୟ ଶୁଣ ।

ଭକ୍ତି, କର୍ମ,ଜ୍ଞାନ ତ୍ରିମାର୍ଗେ ପ୍ରୟାଣ ଯାହାର ରୁଚି ଯେପରି,

ଜ୍ଞାନ, ଭକ୍ତି ଦୁଇ ମିଶ୍ରଣ ନୋହିଲେ ତୁମ୍ଭଙ୍କୁ କି ଲଭି ପାରି ।

ଭକ୍ତି,କର୍ମ,ଜ୍ଞାନ ଯୋଗ ମାର୍ଗମାନ ଗୀତା ତା ଅନୁମୋଦନ,

ଅଶେଷ ଭକତି ତୁମ୍ଭଙ୍କୁ କରନ୍ତି ସବୁରି ତୁ ଭଗବାନ ।

ଅଗାଧ ସାଗର ପ୍ରଭୁ ତୁମ୍ଭ ଗିର, ସିନ୍ଧୁକୁ ମନ୍ଥିବ କିଏ ?

କିଛି ଜାଣିଥିବ ମନ୍ଦର ପର୍ବତ, କାହୁଁ ଜାଣିବେ କପିଏ ।

ଯେତେବେଳେ ସିନ୍ଧୁ ମନ୍ଥନ କରିଲେ ଦେବାସୁରମାନେ ମିଳି,

ସେହି ମନ୍ଥନରୁ ଯେ ଯାହା ପାଇଛି ଆଜ ସୁଦ୍ଧା ଅଛି କଳି ।

କେହି ବା ଅମୃତ କେହି ପାରିଜାତ କେ ପାଇଲା ଦିବ୍ୟମଣି

କେହି ବିଷ ପାତ୍ର କେହି ଐରାବତ କେ ଲଭିଲା କମଳିନୀ ।

ସମୁଦ୍ର ସ୍ଵରୂପ ନିର୍ଣ୍ଣୟ ନ ହେଲା କେବଳ ମନ୍ଥିଲେ ମାତ୍ର,

ମନ୍ଥନରୁ ଯାହା ସେ ଲଭିଲେ ସବୁ ଜାଣ ପଦ୍ମନେତ୍ର ।

ସେହିପରି ତୁମ୍ଭ ବଚନ ସମୁଦ୍ର, କିଏ ସେ ମାପିବ ତାକୁ ?

ମାପବଟି ଯିଏ ତୁମ୍ଭେ ସିନା ସିଏ, ଅନ୍ୟ ନ ଆସେ ମନକୁ ।

ଅଦ୍ଵୈତ, ଦ୍ଵୈଇତ, ବିଶିଷ୍ଟାଦ୍ଵୈଇତ, ଶୁଦ୍ଧାଦ୍ଵୈତ ବାଦୀମାନେ,

କେତେ କେତେ ଗୀତା ଭାଷ୍ୟ ଲେଖିଛନ୍ତି ତୁମ୍ଭରି ପାଇଁ ଯତନେ

କା’ ମତରେ ଜ୍ଞାନ, କା’ ମତରେ ଭକ୍ତି, କା’ ମତରେ କର୍ମ ଯୋଗ,

କର୍ମ ତ୍ୟାଗ ଗୋଟି ସବୁରି ମତରେ ମୁଁ ଥାଏ ସମସ୍ତ ସଙ୍ଗ ।

ସମସ୍ତଙ୍କୁ ମୁହିଁ ଭଲ ପାଉଥାଏ ସମସ୍ତେ ତୁମ୍ଭ ସେବକ,

କାକରା ପିଠାକୁ ଯେ ଯେପରି ଖାଉ ମିଠା ସମାନ ମାତ୍ରକ ।

ଗୋଧୂମର ଚୂର୍ଣ୍ଣ ଗୁଡ଼ ଗବ୍ୟ ଯୁକ୍ତ ହୋଇଛି ପିଠା ତିଆରି,

ଏହି ତିନି ସିନା ଜ୍ଞାନ, ଭକ୍ତି,କର୍ମ ତୋ ବଳେ ବାଛିଲି ହରି ।

ଜ୍ଞାନଟି ତୋ କର୍ମ ମାର୍ଗକୁ ଚିହ୍ନାଏ, ଭକ୍ତି କରେ ସୁଧା ପାନ,

ଏଣୁ ମୋ ମତରେ ଭକ୍ତି କରୁଅଛି ପ୍ରେମ ସାଗରରେ ସ୍ନାନ ।

ସର୍ବ ଧର୍ମ ଛାଡ଼ି କେବଳ ତୋହର ଶରଣ ନେଇଛି ମୁହିଁ,

ନିଷ୍କାମ ଭକତି ତୋର ଶ୍ରେଷ୍ଠ ପନ୍ଥା ୟା ପରେ କିଛି ମୋ ନାହିଁ ।

ଚିତ୍‍ଶକ୍ତି, ମାୟାଶକ୍ତି, ଜୀବଶକ୍ତି ଛନ୍ତି ଯେତେ ଶକ୍ତିମାନ ।

ସର୍ବଶକ୍ତି ଧରି ତୁମ୍ଭେ ଭଗବାନ ହୋଇଅଛ ଶକ୍ତିବାନ ।

ଏଣୁ ମୁଁ ଶକତି, ତୁମ୍ଭେ ଶକ୍ତିବାନ ଅଟଇ ଜୀବ ଜଗତ,

ତୁମ୍ଭରି ଇଚ୍ଛାରେ ତୁମ୍ଭ ଶକ୍ତି ସିନା ତୁମ୍ଭରି ଠାରୁ ବିଭକ୍ତ ।

ତୁମ୍ଭ ଅନୁଗ୍ରହ ବ୍ୟତୀତ ମୋହର ଅନ୍ୟ ଉପାୟ ତ ନାହିଁ,

ହେ ହୃଦ ଈଶ୍ଵର ! ଅନୁଗ୍ରହ ତୋ’ର ନିର୍ମଳ ଭକତି କହି ।

ଧର୍ମ,ଅର୍ଥ, କାମ, ମୋକ୍ଷ ପରେ ଯାହା ସେହି ଅନୁକମ୍ପା ହେଉ,

ଶକ୍ତି, ଶକ୍ତିବାନ, ଅଭେଦ ପୀରତି ସବୁବେଳେ ରହିଥାଉ ।

ତୁ ବ୍ୟକ୍ତରେ ଥାଆ, ଅବ୍ୟକ୍ତରେ ଥାଆ କିଏ ସେ ଲଭିବ ତୋତେ,

ତୁମ୍ଭ କୃପାହିଁ କେବଳ ଜପୁଅଛି ଅନ୍ୟ ନ ରୁଚଇ ମୋତେ ।

ଅବ୍ୟକ୍ତ ବ୍ରହ୍ମରେ ଆସକ୍ତ ଯେମାନେ ଅଧିକ କଷ୍ଟ ଲଭନ୍ତି,

ଅବ୍ୟକ୍ତରୁ ବ୍ୟକ୍ତ ନହେବା ପର୍ଯ୍ୟନ୍ତ କିଏ ସେ ଦେଖି ନାହାନ୍ତି ।

ଯେ କହନ୍ତି ତୁମ୍ଭେ ଇନ୍ଦ୍ରିୟ ଅତୀତ ନେତ୍ର ଦେଖିବ କିପରି,

ନେତ୍ର ନ ଦେଖିଲେ ତୃପ୍ତି କାହୁଁ ହେବ କହିଲ ହୃଦ-ବିହାରୀ ।

ପ୍ରକୃତ ଅଦୃଷ୍ଟ, ଅଶ୍ରୁତ, ଅବ୍ୟକ୍ତ କିଏ ନାହିଁ କରିବ କି ?

ଅନ୍ଧମାନେ ହାତୀ ଅଣ୍ଡାଳିଲା ପରି କିଏ ସେ ଦେଖିଅଛି କି ?

ଏଣୁ ବ୍ୟକ୍ତ ମୋ’ ର ତୁମ୍ଭେ ହୃଦ-ହାର ତୁମ୍ଭରି ପଦେ ଶରଣ,

ଯାହା ଇଚ୍ଛା ତାହା କର ଇଚ୍ଛାମୟ ପରଂବ୍ରହ୍ମ ନାରାୟଣ ।

ଜ୍ଞାନ, କର୍ମେନ୍ଦ୍ରିୟ, ଅନ୍ତର ଇନ୍ଦ୍ରିୟ ପଞ୍ଚଭୂତାଦିଙ୍କି ନେଇ,

କ୍ଷେତ୍ର ବୋଲି କରି ନାମଟି ଏହାର ‘ଜ୍ଞ’ ଜୀବାତ୍ମା ବୋଲାଇ ।

ସେହି କ୍ଷେତ୍ରଜ୍ଞଟି ଜୀବଆତ୍ମା ବୋଲି ନାମ ତା’ର ଅଭିରାମ,

ଶ୍ୟାମ, ଦାମ ଆଦି ବହୁ ନାମ ତା’ର ନୁହେଁ ସେ ପୁରୁଷୋତ୍ତମ ।

ଅଷ୍ଟଧା ଅପରା ପ୍ରକୃତି ବୋଲାନ୍ତି ପରା ପ୍ରକୃତି ତ ମୁହିଁ,

ଏଥିରେ ପୁରୁଷ ତୁମ୍ଭ ଛଡ଼ା କିଏ ଅନ୍ୟ ବିଶ୍ଵାସ ମୋ ନାହିଁ ।

ବହୁ ଯୋଗୀ ଋଷି ଭାଷ୍ୟ ଲେଖିଛନ୍ତି ଯାହାର ରୁଚି ଯେପରି,

ବଡ଼ ଲୋକଙ୍କୁ ତ ଉତ୍ତର ଦେବାକୁ ଶକ୍ତି ମୋ ନାହିଁ ସେପରି ।

ମୁହିଁ ଅଟେ ପରା ତୁମ୍ଭ ଦାସୀ ପରା ଅପରା ମୋ’ର ସଜନୀ,

ଅପରାକୁ ସଙ୍ଗେ ଧରି ତୁମ୍ଭ ସଙ୍ଗେ ଖେଳିବି ଦିନ ରଜନୀ ।

ଏ କ୍ଷେତ୍ରରେ ଆମ୍ଭେ ସମସ୍ତେ ସ୍ତ୍ରୀଲିଙ୍ଗ ତୁମ୍ଭେ କେବଳ ପୁରୁଷ,

ତୋ ଛଡ଼ା କ୍ଷେତ୍ରଜ୍ଞ ଅନ୍ୟ କେହି ନାହିଁ ବିଚାର କରନ୍ତୁ ଈଶା ।

ମୁଁ ଯେଣୁ ତୁମ୍ଭର ଅଟେ ନିତ୍ୟ ଦାସୀ କେତେକାଂଶେ ମୁଁ କ୍ଷେତ୍ରଜ୍ଞ,

ତୁମ୍ଭ ସେବା ପାଇଁ କିଛି ମୁଁ ଅଳ୍ପଜ୍ଞ ତୁମ୍ଭେ ପ୍ରଭୁ ମୋ ସର୍ବଜ୍ଞ ।

ତୁ ବିଭୁ ଚୈତନ୍ୟ; ମୁଁ ଅଣୁ ଚୈତନ୍ୟ ମୁଁ ଶକ୍ତି, ତୁ ଶକ୍ତିବାନ,

ଏହି ଭାବେ ଦୟା ରଖିଥିବ ପ୍ରଭୋ ମୋହର ଜୀବ ଜୀବନ ।

ଏହି ସାତ ପଦ ପରମ ସମ୍ପଦ ଖଣ୍ଡଗିରି ପରୀକ୍ଷାରେ,

ସିଦ୍ଧ ସାଧୁମାନେ ସଭା କରିଥିବେ ପୂଜା ପାଇବ ସେଠାରେ ।

ବହୁ ମତମାନ ଖଣ୍ଡନ ହୋଇବ, ସାର ବଛା ହେବ ଏହି,

ଏହି ଭାବେ ଯେତେ ଭକ୍ତମାନେ ଥିବେ ରାହାସ ଦେଖିବେ ସେହି ।

ପୁଲିଙ୍ଗରେ ରାସ ନୁହଁଇ ଦର୍ଶନ ସ୍ତ୍ରୀ ଅଙ୍ଗ ତହିଁକି ଲୋଡ଼ା,

ମହାମାୟା ଭକ୍ତି ପରୀକ୍ଷା କରିବେ ପହରା ସେଠାରେ କଡ଼ା ।

ନୈମିଷା ଅରଣ୍ୟେ ମିମାଂସା ହୋଇବ ସାତ ଗୋଟି ପଦ ଅର୍ଥ,

ଅନୁମୋଦନ କରିବେ ଭଗବାନ ଶୁଣ ମନ ନରନାଥ ।

ଆଜି ଶୁଭ ଦିନ, ରେ ମନ ରାଜନ ଶ୍ରବଣେ ମିଳେ ମୁକତି,

ଅଭିରାମ ଭାଷେ ସେବକ ଜନ ସେ ସେବ୍ୟ ମୋ ନେତ୍ର ସମ୍ପତ୍ତି ।

 

ମନ

ପୁଚ୍ଛଇ ମାନସ ବେନି କର ଯୋଡ଼ି ଚୈତନ୍ୟ ଚରଣେ ପଡ଼ି,

ତୁମ୍ଭ ପ୍ରସାଦରୁ ଏ ଭୁଲା ମନରୁ କୁହେଳିକା ଗଲା ଛାଡ଼ି ।

ହରି,ରାମ କୃଷ୍ଣ ଏହି ନାମ ତ୍ରୟ ପ୍ରଚାର କଲ କିମ୍ପାଇ,

ଗୋପନରେ କର୍ଣ୍ଣେ କହୁଥାନ୍ତି ଗୁରୁ ତା ଅର୍ଥ ମୁଁ ପାଇ ନାହିଁ ।

କୃପାକରି ମୋତେ ବୁଝାଇ ଦିଅନ୍ତୁ ବାଞ୍ଛା କଳ୍ପତରୁ ମୋ’ର ,

ଅନେକ ନାମ ତ ପୂର୍ବେ ଶୁଣାଇଛ ଏ କିପରି ହେଲା ସାର ?

ଚୈତନ୍ୟ

ଭାଷନ୍ତି ଚୈତନ୍ୟ ଏକ ପରଂବ୍ରହ୍ମ ଏକରୁ ତ ଦୁଇ ନାହିଁ,

ନାମ, ଅନାମଟି ସବୁ ମାତ୍ର ସେହି ଅବ୍ୟକ୍ତ,ବ୍ୟକ୍ତ ହିଁ ସେହି ।

ସେହିଟି ନିର୍ଗୁଣ ସେହିଟି ସଗୁଣ ସେହିଟି ରୂପ,ଅରୂପ,

ଇନ୍ଦ୍ରିୟାତୀତ ସେ ଇନ୍ଦ୍ରିୟ ଯୁକ୍ତ ସେ ଶୁଣ ତୁହି ମନ ଭୂପ ।

କୃଷ ଧାତୁ ସିନା, ଭୂବାଚକ ଶବ୍ଦ “ଣ” ନିବୃତ୍ତିବାଚକ,

ଏଣୁ ଏ ସଂସାରୁ ଯେ ମୁକ୍ତି କରାନ୍ତି କୃଷ୍ଣ ନାମ ସେ ମାତ୍ରକ ।

ଯେ କି କାଳ ରୂପେ ସର୍ବ ଜଗତକୁ କରଷଣ କରୁଥାନ୍ତି

ସେହି ପରଂବ୍ରହ୍ମ ତାର କୃଷ୍ଣ ନାମ ଶୁଣ ମନ ନରପତି ।

ପରମ ଆନନ୍ଦ ଲାଭ ହୁଏ ଆସି ଯା’ ଦାସ୍ୟ କର୍ମ କରିଲେ,

ସେହି କୃଷ୍ଣ ନାମ ଜଗତେ ଉତ୍ତମ ଚୈତନ୍ୟ ବୁଝାଇ ଦେଲେ ।

ହୃଦୟ କର୍ଷଣ କରି ପାପ ଶୂନ୍ୟ କରନ୍ତି ଯେ; କୃଷ୍ଣ ସେହି,

ନିର୍ମଳ ବିଶୁଦ୍ଧ ହୃଦକୁ କରନ୍ତି ଭକ୍ତି ଭାବ ଢାଳି ଦେଇ ।

ସେହି ସନାତନ ବ୍ରହ୍ମ କୃଷ୍ଣ ନାମ, ଆନନ୍ଦରେ ଭଜ ତାଙ୍କୁ,

ନିଭୃତ ସ୍ଥାନରେ ବସାଇ ଶ୍ରୀଗୁରୁ ଗୁପ୍ତେ କହନ୍ତି ଶିଷ୍ୟକୁ ।

ରାମ ନାମ ଗୋଟି ଅଟେ ରମଣୀୟ ଶୁଣ ସେ ନାମର ଅର୍ଥ,

ଏକ ବାର ସେ ନାମ ଯେ ଭଜିପାରେ ହୋଇଯାଏ ସେ ମୁକତ ।

‘ରା’ କାର ଧରିଣ ଭୂଷଣ୍ଡ ଅମର ଜଗିଲା ସେ ‘ମ’ କାରକୁ,

‘ମ’ କାର ମଣ୍ଡଳେ ‘ରା’ କାରକୁ ଦେଲେ ଭୟଥିବ କି କାହାକୁ ।

‘ରା’ କାର ଶବ୍ଦଟି ଏ ବିଶ୍ଵବାଚକ ‘ମ’ ଶବ୍ଦ ଈଶ୍ଵର କହି,

ଏଣୁ ଏ ବିଶ୍ଵରେ ଯେ ଅଟନ୍ତି ବିଭୁ ରାମ ନାମେ ଖ୍ୟାତ ସେହି ।

ପୁନଶ୍ଚ ‘ରା’ ଶବ୍ଦ ଲକ୍ଷ୍ମୀବାଚକ ସେ ‘ମ’ ଶବ୍ଦ ପରମ ବ୍ରହ୍ମ,

ଏଣୁ ଲକ୍ଷ୍ମୀପତି ବୋଲାନ୍ତି ଈଶ୍ଵର ଯା’ ନାମ ପୁରୁଷୋତ୍ତମ ।

ପୁନଶ୍ଚ ସର୍ବ ଭୂତରେ ଆତ୍ମା ରୂପେ ବିରାଜମାନ ଯାହାର,

ସେହି ରାମ ନାମେ ଖ୍ୟାତ ହୋଇଛନ୍ତି ମନରାଜ ହେତୁ କର ।

ଦେଖ ଏ ଦ୍ଵାଦଶ ପବନ ଡାକୁଛି ସବୁବେଳେ ରାମ ନାମ,

ସେ ନାମକୁ ଆଣ୍ଟେ ଧରି ତୁ ପାରିଲେ ପୂର୍ଣ୍ଣ ହେବ ମନସ୍କାମ ।

ଏକମାତ୍ର ପରମାତ୍ମା ସେ ବୋଲାନ୍ତି ପୁରାଣ ପୁରୁଷ ସେହି,

ସତ୍ୟ ସ୍ଵରୂପ ସେ ସ୍ଵୟଂ ଜ୍ୟୋତିର୍ମୟ ଅସ୍ତ ରହିତ ବୋଲାଇ ।

ବିଶ୍ଵର ଆଦି ପୁରୁଷ ସର୍ବକର୍ତ୍ତା ନିତ୍ୟ ଅକ୍ଷର ସ୍ଵରୂପ,

ନିରଞ୍ଜନ ପୂର୍ଣ୍ଣ ଅଦ୍ଵିତୀୟ ବ୍ରହ୍ମ ଶୁଣ ତୁହି ମନ ଭୂପ ।

କେବଳ ମାୟା ଉପାଧି ଦ୍ଵାରା କ୍ରୀଡ଼ା କରନ୍ତି ସାକାର ହୋଇ,

ମୁରାସୁର ପରି ଯା’ର ଅଟେ ବୁଦ୍ଧି ସେ ମାତ୍ର ଜାଣିବ କାହିଁ ।

ରାମ କୃଷ ନାମ ଶୁଣିଲୁକି ମନ ହରେ ନାମ ଶୁଣ ଏବେ,

ଯାହାଙ୍କୁ ଜାଣିଲେ ସର୍ବ ଦୁଃଖ ହରେ ସଦାନନ୍ଦ ଯେହୁ ଦେବେ ।

ଗୁଣମୟୀ ଆତ୍ମା ଅପରା ପ୍ରକୃତି ବିଷ୍ଣୁ ମାୟାକୁ ଯେ ହରେ,

ତେଣୁ କରି ସେହି ପରମ ବ୍ରହ୍ମଙ୍କ ନାମ ହୋଇଅଛି ହରେ ।

ଆଧ୍ୟାତ୍ମିକ, ଆଧିଦୈବିକ ଭୌତିକ ଏହି ତ୍ରିତାପ ଯେ ହରେ,

ଏଥିପାଇଁ ସ୍ଵୟଂ ଭଗବାନଙ୍କର ନାମ ହୋଇଅଛି ହରେ ।

ଜନ୍ମ,ବୃଦ୍ଧି ହ୍ରାସ,ନାଶ ଷଡ଼ ବିଧ କ୍ଷୁଧା ତୃଷାକୁ ଯେ ହରେ,

ଏଥିପାଇଁ ପରଂଧାମ ପରଂବହ୍ମ ନାମ ହୋଇଅଛି ହରେ ।

ବୁଦ୍ଧି ସହକାରେ ନିଶ୍ଚିନ୍ତ ବିବେକ ହୃଦରେ ସ୍ଥାପଇ ଯେହି,

କ୍ଷେତ୍ର ଗୋଟିକ ଯେ ନିଷ୍ପାପ କରଇ ହରେ ବୋଲି ସିନା ସେହି ।

ଅହଙ୍କାର ଅବିଦ୍ୟାଦି ଯେତେ ସବୁ ଯେହି କରଇ ହରଣ,

ସେହି ପ୍ରଭୁଙ୍କର ନାମ ସିନା ହରେ ପରଂବ୍ରହ୍ମ ନାରାୟଣ ।

ସର୍ବ ଦୁଃଖହାରୀ ମୋ ହୃଦ ବିହାରୀ ଯେ ସର୍ବ ଅଭକ୍ତି ହରେ,

ପ୍ରେମ ଭକତି କି ହୃଦେ ଯେ ସ୍ଥାପନ୍ତି ସେ ପ୍ରଭୁଙ୍କ ନାମ ହରେ ।

କେତେ କହିବି ମୁଁ ତାଙ୍କ ଗୁଣ ରାଶି; ଅନନ୍ତ ନାମର ଅର୍ଥ,

ବିଷ୍ଣୁ ବ୍ରହ୍ମା ଶିବ ଧର୍ମାଦି ଧୀମନ୍ତ ଯା’ର ନ ପାଆନ୍ତି ଅନ୍ତ ।

ଅବ୍ୟକ୍ତ ପୁରୁଷ ପ୍ରଭୁ ବିଶ୍ଵବାସ ଯେ ପ୍ରଭୁ ପ୍ରାଣର ପ୍ରାଣ,

ନୟନର ଯିଏ ନୟନ ଅଟନ୍ତି ଶ୍ରବଣର ଯେ ଶ୍ରବଣ ।

ହରେ ରାମ କୃଷ୍ଣ ନାମ ଅର୍ଥ ଶୁଣି ଭୁଲା ମନ ନିସ୍ତରିଲା,

ସମାସୀନ ହୋଇ କୃତାଞ୍ଜଳି ପୁଟେ ଶ୍ରୀପଦରେ ସ୍ତବ କଲା ।

ମନ

ଜୟ ଜୟ ନିରାକାର, ନିର୍ବିକାର,ସର୍ବାଧାର ତୁମ୍ଭେ ମୋ’ର,

ଶରଣଦ ପଦେ, ଆଦ୍ୟନ୍ତ ମଧ୍ୟରେ, କରୁଅଛି ନମସ୍କାର ।

ହେ ବସନ୍ତ-ବାସ ! ତୁମ୍ଭେ ମୋ ସର୍ବସ୍ଵ ପ୍ରତି ଶ୍ଵାସ ପ୍ରଶ୍ଵାସରେ,

ଜପୁଅଛି ତୋତେ ଦୟାକର ମୋତେ ଭୂଷଣ୍ଡ ଜପ ମନ୍ତ୍ରରେ ।

ଏକ ବାର ରାମ ଯେ ଜପି ଜାଣଇ ପାପ ତା ଅଙ୍ଗେ ନ ଥାଇ,

ତୁମ୍ଭ ନାମ ଗୋଟି ଅମୂଲ୍ୟ ରତନ ମୂଲ୍ୟ କରିବ ବା କେହି ।

ଦିନେ ଦଶରଥ ସିନ୍ଧୁ ମୁନିଙ୍କି ଯେ ଶବ୍ଦ-ଭେଦି ଶର ମାରି,

ବ୍ରହ୍ମ ହତ୍ୟା ପାପ ଅର୍ଜନ କରିଣ ବିଚାରିଲେ ଦଣ୍ଡଧାରୀ ।

ଏ ହତ୍ୟାକୁ ପ୍ରାୟଶ୍ଚିତ କି ପ୍ରକାର ବଶିଷ୍ଠ ଆଶ୍ରମ ଗଲେ,

ବଶିଷ୍ଠ ଆଶ୍ରମେ ନ ଥିବାରୁ ପୁତ୍ର ବାମଦେବଙ୍କୁ ଦେଖିଲେ ।

ରାଜାଙ୍କ ସ୍ଵାଗତ ଦେଖି ବାମଦେବ ପୁଚ୍ଛନ୍ତି କୁଶଳମାନ,

ପ୍ରାୟଶ୍ଚିତ ଅର୍ଥେ ଆସିଛି ଉଦ୍ଧାର କରନ୍ତୁ ମୋତେ ଆପଣ ।

ବାମଦେବ ତିନି ବାର ରାମ ନାମ କହନ୍ତେ ରାଜା କର୍ଣ୍ଣରେ,

ମୁନି ହତ୍ୟା ପାପୁ ଉଦ୍ଧାର ପାଇଣ ଆନନ୍ଦ ହେଲେ ମନରେ ।

ଏହି ସମୟରେ ଗୃହାଗତ ହେଲେ ବଶିଷ୍ଠ ଆନନ୍ଦ ମନେ,

ପୁତ୍ରକୁ ଯେ ଅଭିଶାପ ଦେଲେ ଋଷି ଯେପରି ବିଧି ବିଧାନେ ।

ରେ ପାପିଷ୍ଠ ! ତିନି ବାର ରାମ ନାମ କହିଲୁ କିମ୍ପା ରାଜାଙ୍କୁ,

ମହାପାପୀ ହେଲେ ଏକ ବାର ନାମ ନ କହିଲୁ କିମ୍ପା ତା’ଙ୍କୁ ।

ମନୁଷ୍ୟ ଜୀବନେ ଯେତେ ପାପ କଲେ ଏକ ନାମକୁ ତ ନାହିଁ,

ତିନି ବାର ନାମ ଉଚ୍ଚାରଣ କଲୁ କେଉଁ କାରଣରୁ ତୁହି ।

ମୋ ପୁତ୍ର ବୋଲିଣ ପରିଚୟ ଦେଇ ନାମେ କଲୁ ହେୟ ଜ୍ଞାନ,

ଗୁହ୍ୟକ ଚଣ୍ଡାଳ ଯୋନିରେ ଜନ୍ମ ତୁ ରେ ପାପିଷ୍ଠ ନରାଧମ !

କୋଟି ବ୍ରହ୍ମ ହତ୍ୟା ପାପ ନଷ୍ଟ ହୁଏ ଏକ ରାମ ନାମ ନେଲେ,

ଉଦ୍ଧାର ପାଇବୁ ରେ ନର ଅଧମ ଶ୍ରୀରାମ ପଦ ଲାଗିଲେ ।

ହେ କରୁଣାମୟ ! ତୁମ୍ଭ ନାମ ଗୋଟି ଅଟେ ଦେବଙ୍କୁ ଦୁର୍ଲଭ,

ତୁମ୍ଭ ଛଡ଼ା ମୋ’ର ଏ ଜୀବ ଜଗତେ ଅନ୍ୟ କିଛି ନୋହୁ ଲାଭ ।

ଯେଉଁ ନାମ ତୋ’ର ଜପ ହେଉଅଛି ଜଗତ ଜୀବ ହୃଦୟେ,

ସେ ନାମ ମହିମା କେ ଦେବ ଉପମା ଜଗତରେ ଅଛି କିଏ ?

କୋଠ ଭଣ୍ଡାରରେ ନ ରଖିଛି ଯିଏ ତୋ ନାମକୁ ଧନ କରି,

ଜପି ନ ଜାଣିଛି ଯିଏ ତୋ ନାମକୁ ଲଭିବ ତୋତେ କିପରି ?

ତବ କୃପା ନ ହୋଇଲେ ଦୀନବନ୍ଧୁ କିଏ ସେ ପାଇବ ତୋତେ,

ତୁମ୍ଭ କୃପାହିଁ କେବଳ ବାଛି ଅଛି ଅନ୍ୟ ନ ରୁଚଇ ମୋତେ ।

ଇତି ନିବେଦନ ତବ ପଦ-କଞ୍ଜେ ତୁମ୍ଭ କୃପାହିଁ କେବଳ,

ଭାଷେ ଅଭିରାମ ହେ ପୁରୁଷୋତ୍ତମ ତୁମ୍ଭେ ମୋ ସର୍ବ ସମ୍ଵଳ ।

Image

 

ଅଭୁଲା କୃଷ୍ଣ ସ୍ତବ

 

ଈଶ୍ଵରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହ

ଅନାଦିରାଦି ଗୋବିନ୍ଦଃ ସର୍ବ କାରଣଂ କାରଣମ୍ ।

ସ୍ତବ

ଅଭୁଲା କୃଷ୍ଣ ହେ ମୋର ଜୀବନ ସର୍ବସ୍ଵ !

ଅନନ୍ତ ଅବତାରର ତୁମ୍ଭେ ଅବତଂସ ।

ଅଶେଷ ବୈକୁଣ୍ଠ ବ୍ରହ୍ମାଣ୍ଡର ମଥାମଣି

ସବୈଶ୍ଵର୍ଯ୍ୟ ସର୍ବ ଶକ୍ତିବାନ ତୋତେ ଭଣି ।

ବ୍ରଜେନ୍ଦ୍ର ନନ୍ଦନ ତୁମ୍ଭେ ସତ୍, ଚିତ୍, ଆନନ୍ଦ,

ସର୍ବ ଶକ୍ତି, ସର୍ବ ରସ ପୂର୍ଣ୍ଣ ପୂର୍ଣ୍ଣାନନ୍ଦ ।

ଅଦ୍ଵିତୀୟ ଈଶ୍ଵର ତୁ ଗୋଲକ-ବିହାରୀ,

ଈଶ୍ଵର ପରମ କୃଷ୍ଣ ତୁମ୍ଭେ ଦେବ ହରି ।

ସର୍ବଶ୍ରୀ ସର୍ବ ଐଶ୍ଵର୍ଯ୍ୟ ସର୍ବ ଧର୍ମ ମୂଳ,

ସମସ୍ତ ଯଶ ବୈରାଗ୍ୟ ତୁମ୍ଭ ଠାରେ ଠୁଳ ।

ସମସ୍ତ ମୋକ୍ଷ ଯୋଗର ଆଦିମୂଳ ତୁହି,

‘ଭଗ’ ଶବ୍ଦ ଏହି ତୋର ବର୍ଣ୍ଣିଛନ୍ତି ବିହି ।

ଏଣୁ ଭଗବାନ ତୁମ୍ଭେ ସ୍ଵୟଂ ଅପ୍ରାକୃତ,

ସର୍ବ ଚିତ୍ତ ଆକର୍ଷକ ତୁମ୍ଭେ ଜଗନ୍ନାଥ ।

ନାନା ଭକ୍ତ ନାନା ମତ ତୁମ୍ଭେ ରସାମୃତ,

ଶୃଙ୍ଗାର ରସ ରାଜନ ମୋର ହୃଦନାଥ ।

ଗୁଣ, ରସ, ରୂପ, ଗନ୍ଧ, ଶବଦ, ପରଶ,

ଏହି ଗୁଣେ ଲୋଭୀ ହୋଇ ହେଲି ଯୋଗୀ ବେଶ ।

ଦଶେନ୍ଦ୍ରିୟ ଶିଷ୍ୟ କରି ହୋଇଅଛି ବାଇ,

ଶିଷ୍ୟଗଣ ସଙ୍ଗେ ନେଇ ଗମନ କରଇ ।

ତୁମ୍ଭ ଲୋଭେ ମୋ’ର ମନ ଛାଡ଼ି ବେଦ ଧର୍ମ,

ଯୋଗୀ ହୋଇ ବୁଲୁଅଛି ହେ ପୁରୁଷୋତ୍ତମ !

ତୋ ଲୀଳା ମଣ୍ଡଳ ଅଟେ ମୋ କର୍ଣ୍ଣ କୁଣ୍ଡଳ,

ତୁମ୍ଭରି ତୃଷ୍ଣା ଅଟଇ ମୋର ଲାଭ ଥାଳ ।

ଆଶା ଝୁଲିକି କାନ୍ଧରେ ପକାଇଛି ହରି,

ଚିନ୍ତା କପିଳ ବସନ କନ୍ଥା ଅଛି କରି ।

ବିଭୂତି କରିଛି ତୁମ୍ଭ ପାଦ-ପଦ୍ମ ଧୂଳି,

ତୋ କୃପା ଭିକ୍ଷାର୍ଥେ ମୁଣ୍ଡେ ବହିଅଛି ଝୁଲି ।

ମୋ’ର ଦେହ ସ୍ଵ-ସଦନ ବିଷୟ ଭୋଗକୁ,

ଧନ, ଜନ ଆଦି ଯେତେ ତ୍ୟାଗ କଲି ତା’କୁ ।

ଗୃହସ୍ଥ ଆଶ୍ରମେ ଯେତେ ଯେତେ ପ୍ରଜାଗଣ,

ଯେତେ ସ୍ଥାବର, ଜଙ୍ଗମ, ବୃକ୍ଷ, ଲତା-ମାନ ।

ସର୍ବ ଘରେ ଭିକ୍ଷା ମାଗେ ତବ କୃପା ମାତ୍ର,

ପତ୍ର,ପୁଷ୍ପ,ଫଳ ମୂଳ ଇତ୍ୟାଦି ସମସ୍ତ ।

ଏହି ବୃତ୍ତି କରୁଅଛି ଶିଷ୍ୟ ସଙ୍ଗେ ଧରି,

ତୁମ୍ଭ କୃପା ଭିକ୍ଷୁ ହୋଇ ବଞ୍ଚିଛି ହେ ହରି !

ସର୍ବେ ଡାକନ୍ତି ବାଇଆ ବୋଲି ଏଥି ପାଇଁ ।

ବାଇଆ ଛାଡ଼ିବ କାହିଁ ତୁମ୍ଭଙ୍କୁ ନ ପାଇ ।

ଘଡ଼ଘଡ଼ି, ଚଡ଼ଚଡ଼ି ମାରଇ ବହୁତ,

କଠୋର ବଜ୍ର ନିକ୍ଷେପ କରେ ପୁରୁହୂତ ।

ତର୍ଜନ, ଗର୍ଜନ, ମେଘ ବହୁତ କରଇ,

ଚାତକ ଚିତ୍ତ ଟଳେ କି ଜଳକୁ ନ ପାଇ ।

ହେ ଶ୍ୟାମଘନ ସୁନ୍ଦର ଚନ୍ଦ୍ରମା ମୋହର,

ବାଇ ହୃଦ କଇଁ ଫୁଟୁ ଦେଖି କଳାକର ।

ତୁମ୍ଭ ଭକ୍ତି ବିନା କଇଁ ନ ଜାଣଇ କିଛି,

ଶରଣଦ ପଦ କଞ୍ଜେ ଇତି ଜଣାଉଛି ।

ଅଶ୍ଵତ୍ଥ ତରୁ ମୂଳରେ ଅଛ ଆଦିମୂଳ,

ସେ ବୃକ୍ଷର ଊର୍ଦ୍ଧ୍ଵ ମୂଳ, ଅଧଃ ତା’ର ଡାଳ ।

ଊର୍ଦ୍ଧ୍ଵରୁ ଲମ୍ଵିଛି ଡାଳ ଅନ୍ତ ତା’ର ନାହିଁ,

ଏଣୁ ଅନନ୍ତ ବୃକ୍ଷଟି ଅଶ୍ଵତ୍ଥକୁ କହି ।

ସେହି ସନାତନ ବୃକ୍ଷ ଡାଳ ଏ ସଂସାର,

କଳ୍ପଦ୍ରୁମ କଦମ୍ଵ ବୃକ୍ଷଟି ନାମ ତା’ର ।

ସେହି କଦମ୍ଵ ମୂଳରେ ବଂଶୀ ବାଅ ବସି ,

ଜାଣନ୍ତି ତୁମ୍ଭର ଅନ୍ତରଙ୍ଗ ଦାସ ଦାସୀ ।

ଯେ ଯେପରି ଭାବୁଥାଏ ତା ପାଇଁ ସେପରି,

ରୂପ, ଅରୂପରେ ଖେଳ କରୁଥାଅ ହରି ।

ସେ ବୃକ୍ଷର ମୂଳ ଗୋଟି ଅଟଇ ଗୋଲକ,

ଡାଳ ତା’ର ହୋଇଅଛି ଚତୁର୍ଦ୍ଦଶ ଲୋକ ।

ସହସ୍ର ଦଳରେ ତା’ର ମୂଳ ସୁଶୋଭନ,

ସେ ମୂଳର କର୍ତ୍ତା ତୁମ୍ଭେ ବ୍ରହ୍ମ ସନାତନ ।

ହର, ବିହି, ଯକ୍ଷ, ରକ୍ଷ ଗନ୍ଧର୍ବ, କିନ୍ନର,

ତେତ୍ରିଂଶ କୋଟି ଦେବତା ଯେତେ ଜଗତର ।

ସେ ବୃକ୍ଷର ଶାଖା ହୋଇଅଛନ୍ତି ଏମାନେ,

ସେ ବୃକ୍ଷର ପତ୍ର ବେଦ କର୍ମ କାଣ୍ଡମାନେ ।

ତୁମ୍ଭରି ଅନୁଗ୍ରହରୁ ବୃକ୍ଷ ଅଙ୍କୁରିତ,

ଉତ୍ପତ୍ତି ସ୍ଥିତି କରତା ତୁମ୍ଭେ ବିଶ୍ଵନାଥ ।

ତୁମ୍ଭରି ବିଚିତ୍ର ବୁଦ୍ଧି ଅଟେ ବୃକ୍ଷ ସ୍କନ୍ଧ,

ନମସ୍ତେ ନମସ୍ତେ ଜୟ ଜୟ ଆଦିକନ୍ଦ ।

ଇନ୍ଦ୍ରିୟମାନେ ଅଟନ୍ତି ସେ ବୃକ୍ଷ କୋଟର,

ସବୁବେଳେ ଥାଅ ତୁମ୍ଭେ ସବୁ ନିକଟର ।

ଧର୍ମାଧର୍ମ କର୍ମମାନ ବୃକ୍ଷ ପୁଷ୍ପ କହି,

ସେ ବୃକ୍ଷରେ ସୁଖ, ଦୁଃଖ ଫଳଟି ବୋଲାଇ

ତୁମ୍ଭ ଅନୁକମ୍ପା ବିନା କେ ଚିହ୍ନିବ ବୃକ୍ଷ,

ଯାହାକୁ ରଖିବ ରଖ ହେ ପୁଣ୍ଡରିକାକ୍ଷ !

ଏ ବୃକ୍ଷ ମୂଳରେ ବସି ବଜାଅ ବାଂଶରୀ,

ଭକ୍ତଙ୍କର ନାମ ଧରି ଡାକ ଦେବ ହରି ।

କର୍ମ କାଣ୍ଡ ତ୍ୟାଗ କରି କିଏ ଅଛି ଜୀବ ?

ଯାହାକୁ ତୁମ୍ଭର ଅନୁକମ୍ପା ହୋଇଥିବ ।

ଗୋପିକାଙ୍କ ପରି ତ୍ୟାଗୀ କିଏ ହୋଇବ କି ?

ତୁମ୍ଭ ଅନୁଗ୍ରହ ବିନା କିଛି ହୋଇଛି କି ?

ଯନ୍ତ୍ରୀ ବାଇଲେ ଯନ୍ତ୍ରକୁ ଯନ୍ତ୍ର କି ନ ବାଜେ ?

କର ପ୍ରେମ ଭକ୍ତି ଦାନ ସ୍ଵୟଂ ଈଶ ନିଜେ ।

କେବଳ ତୁମ୍ଭର ଦୃଷ୍ଟି ପଡ଼ିବ ଯେ ଦିନ,

ହେ ହୃଦେଶ ! ଜାଣିବି ମୁଁ ତୁମ୍ଭଙ୍କୁ ସେ ଦିନ ।

ଯେତେବେଳେ ତୁମ୍ଭ ମନେ ପଡ଼ିଯିବି ମୁହଁ,

ବୃକ୍ଷ ଡାଳ ଛେଦି ଦେବି ଶତ ସିଂହ ହୋଇ

ହେ ପରମ ପ୍ରିୟତମ ଗୁଣମଣି ମୋର !

ନିତ୍ୟ ଦାସୀ ଅପରାଧ ସ୍ଵାମୀ, କ୍ଷମା କର ।

ସ୍ତିରୀ ଦୋଷୀ ହେଲେ ସ୍ଵାମୀ କ୍ଷମା ନ କରେ କି ?

କୁଆଡ଼ୁ କଅଣ ବନ୍ଧୁ ମନେ ରଖିଛି କି ?

ସେ ମନେ ଥିବି ମୁଁ ଯେବେ ଭାଗ୍ୟବତୀ ମୁହିଁ ।

ଭାଷେ ବାଇ ନ ଭାଷିବି କେତେବେଳେ କାହିଁ ।

Image

 

ଜୀବର ସ୍ତବ

 

ପରମ ଈଶ୍ଵର ପରାର ପରାଣ ବନ୍ଧୁ ହେ କହିବି କେତେ,

ଦୁଃଖୀ ଠାରୁ ଦୁଃଖୀ କିପରି ହେଲି ମୁଁ ଶ୍ରବଣ କର କିଞ୍ଚିତେ ।

ମୁହିଁ ଅଟେ ପରା ତୁମ୍ଭ ଦାସୀ ପରା; ଅପରା ମୋ ସପତଣୀ,

ସବୁବେଳେ ମୋତେ ମାୟାରେ ପକାଇ କି ନ କରୁଛି ଡାହାଣୀ ।

ଆଠ ପ୍ରକାର ସେ ରୂପ ସାଜି କରି ଯାହା ସେ କରୁଛି ମୋତେ,

ତୁମ୍ଭ ପରି ମୋର ସ୍ଵାମୀ ଥାଉଁ ଥାଉଁ ବିଚାର ନ କଲ ଚିତ୍ତେ ।

ଉପାଧି ଗୁଡ଼ିଏ ସଜାଇ ଦେଇଣ ମୋତେ କରୁଛି ପୁରୁଷ,

ତ୍ରିଗୁଣାତ୍ମିକା ସେ ମାୟା ହୋଇ କରି ମୋ ସଙ୍ଗେ କରୁଛି ରାସ ।

ଅବିବେକୀ ବିଷୟ ଭୂତା ସାମାନ୍ୟ ଚେତନ ତାହାର ନାହିଁ,

ସଂସାରର ହେତୁ ଭୂତା ଅଟେ ସେହି ସବୁ ସେ କରି ପାରଇ ।

ଅଘଟଣ ଘଟଣାରେ ପଟ୍ଟିୟସୀ ବ୍ରହ୍ମାଣ୍ଡ କରେ ଉତ୍ପତ୍ତି,

ଏଥିପାଇଁ ତା’କୁ ଯୋଗମାୟା ବୋଲି ଜ୍ଞାନିମାନେ କହୁଥାନ୍ତି ।

ମୋ’ର ଠାରେ ମାୟା ଲଗାଇ ଦେଇଛି ଅବିଦ୍ୟା ବିଭୂତି ମାରି,

ସବୁବେଳେ ମୋତେ ତା ବଶେ ରଖିଛି କି କରିପାରେ ମୁଁ ହରି ?

ସେ ଡାହାଣୀ ପୁଣି କି ନ କରିପାରେ ଯାହା ତୁମ୍ଭଙ୍କୁ ଢାଙ୍କିଲା,

ତୁମ୍ଭର ସ୍ଵରୂପ ମୋତେ ନ ଦେଖାଇ ମାୟାରେ ବାନ୍ଧି ରଖିଲା ।

ମୁଁ ଅଟଇ ତିନି ଗୁଣ ସାମ୍ୟାବସ୍ଥା ମୋତେ ସେ କଲା ବିକ୍ଷେପ,

ତୁମ୍ଭ କୃପା ଯଦି ନ ହୋଇବ ପ୍ରଭୁ ମୋତେ କରିଦେବ ଲୋପ ।

ଜୀବଭୂତା ମୂଳ ପ୍ରକୃତି ମୁଁ ଅଟେ ଆପଣଙ୍କ ନିତ୍ୟ ଦାସୀ,

ତା’ର ଚେତା ଥିଲେ ମୋତେ ପଚାରିଣ କାର୍ଯ୍ୟ କରୁଥାନ୍ତା ବସି ।

ଚତୁର୍ବିଂଶ ତତ୍ତ୍ଵ ଧରି ବଡ଼ ଲୋକ ହୋଇ ଅଛି ସେ ଡଙ୍କୁଣୀ,

ଏଣୁ ମୁହିଁ ଦୁଃଖି ଠାରୁ ଅତି ଦୁଃଖି ନ ଖୋଜିଲ ଚିନ୍ତାମଣି ।

ଦୃଶ୍ୟମାନ ଜଡ଼ ଜଗତଟି ବ୍ୟକ୍ତ ମୋ ସପତଣୀକି କହି,

ଜଗତ କାରଣ ମୂଳ ପ୍ରକୃତିକି ଅବ୍ୟକ୍ତ ବୋଲି ବୁଝାଇ ।

ଏଣୁ ମୁହିଁ ପରା ଜୀବଭୂତା ହୋଇ ତୁମ୍ଭରି ଆତ୍ମିକା ହେଲି,

ଏତେ ବେଗେ ବନ୍ଧୁ ଭୁଲିଯିବ ବୋଲି ବିଶ୍ଵାସ କରି ନଥିଲି ।

ତୁ ମହା-ଚୈତନ୍ୟ ମୁଁ ଅଣୁ-ଚୈତନ୍ୟ କ୍ଷେତ୍ରଜ୍ଞ କରିଛ ମୋତେ,

ମଝି ସମୁଦ୍ରରେ ଠିଆ କରିଦେଇ ଲୁଚିଲ ବନ୍ଧୁ କେମନ୍ତେ ।

ମୁଁ ଚୈତନ୍ୟ ଧର୍ମାକ୍ରାନ୍ତ ହେବି ସିନା, ଜଡ଼ ଧର୍ମାକ୍ରାନ୍ତ ନୁହେଁ,

ସପତଣୀ ମୋ’ର ଟାଣୁଛି ସର୍ବଦା କେ ବୁଝିବ ଅଛି କିଏ ?

ବୁଝିଲେ ବୁଝିବ ଚିନ୍ତାମଣି ସିନା; ଆଉ କେ ନାହିଁ ମୋହର,

ଏଣୁ ତୁମ୍ଭ ଦାସୀ ଯାଉଅଛି ଭାସି ଉଦ୍ଧରିଣ ମୋତେ ଧର ।

ଏ ଜଡ଼ ଜଗତ ସପତଣୀ କାର୍ଯ୍ୟ,ନିଷ୍କ୍ରିୟ ମୁଁ ସବୁବେଳେ,

କି କହିବି ଈଶ ଯନ୍ତ୍ର ମନ୍ତ୍ରକରି ପକାଉଛି ତା କବଳେ ।

ଆମ୍ଭେ ବେନି ନାରୀ ତୁମ୍ଭରି ହେ ହରି ! ତୁମ୍ଭେ ଆମ୍ଭର ପୁରୁଷ,

ଯାହାର ଯେ କର୍ମ ତାକୁ ଦିଅ ଶ୍ୟାମ ଏହି ଆଶିଷ ବରଷ ।

ଅପରା କର୍ମେ ମୁଁ ବାଧା ଦେଉ ନାହିଁ ସେ କିମ୍ପା ଟାଣୁଛି ମୋତେ,

ମୁଁ ତୁମ୍ଭ ସାନ୍ନିଧ୍ୟ ଲାଭ କଲାବେଳେ ଚିତ୍ର ଦେଖାଉଛି କେତେ ।

ଆମ୍ଭ ବେନି କଳି ନ ତୁଟିବା ଯାଏ ତୁମ୍ଭେ ଅଚିନ୍ତା ହେବ କି ?

ଭକ୍ତ ଭଗବାନ ରାସ ଲୀଳାମାନ କାର୍ଯ୍ୟକାରୀ ହୋଇବ କି ?

ତୁମ୍ଭେ କହିପାର ଅଚିନ୍ତ୍ୟ ଅନନ୍ତ ଆନନ୍ଦ ସାଗର ମୁହିଁ,

ଏହି ବେନି ନାରୀ ହେଲେ ମରାମରି ମୋ’ର ଏଥିରେ କି ଥାଇ ।

ଏ କଥା ଚିନ୍ତିଲେ ଚିତ୍ତେ ଚିନ୍ତାମଣି ତୁମ୍ଭର ଲୀଳା ହେବ କି ?

ଅନନ୍ତ କୋଟି ବ୍ରହ୍ମାଣ୍ଡ ଠାକୁରଙ୍କୁ କିଏ ଅଛି କହିବ କି ?

ଧୂଳି ଘର ପରି ଭାଙ୍ଗି ଦେବ ଯେବେ କିଏ ସେ କରିବ ନାହିଁ ?

ଭାଙ୍ଗିବା ତିଆରି କରିବା ବନ୍ଧୁଙ୍କୁ ପଲକେ ଲାଗିବ କାହିଁ ।

ବଅଁଶ ବୁଡ଼ାକୁ ବିଶ୍ଵାସ ଯେ କରେ ବଅଁଶ ବୁଡ଼ନ୍ତି ତାର,

ବଅଁଶ ବୁଡ଼ନ୍ତେ ଯଦି ତୋ ପାଦରେ ଭୟ ରହନ୍ତା କି ମୋ’ର ।

ବୁଡ଼ିଲେ ବଅଁଶ ହୁଅନ୍ତି ନିଅଂଶ ଅଂଶୀ ପାଶେ ଅଂଶ ଯାନ୍ତା ।

ବହୁ ଆନନ୍ଦ ଉପଭୋଗ କରନ୍ତି ହୋଇ ମୁଁ ତୁମ୍ଭର କାନ୍ତା ।

ନିତ୍ୟଦାସୀ ହୋଇ ରହନ୍ତି ତୋ ପଦେ ସେବ୍ୟ ସେବକିନୀ ହୋଇ,

ନିର୍ଗୁଣ ଭକତି ଆପେ ଆସିଯାନ୍ତା ସାଧନ ସିଦ୍ଧି ନ ଥାଇ ।

ନ ହୋଇଲେ କାଳ ରୂପେ ପେଟେ ତୋ’ର ପୂରାଅ ହେ ଚିନ୍ତାମଣି

ଅନନ୍ତ କୋଟି ବ୍ରହ୍ମାଣ୍ଡ ଗଳି ଯିବ ତୋ ଦାସ ଅଛନ୍ତି ଜାଣି ।

କାଳ ରୂପେ ସବୁ ଜଗତ କର୍ଷଣ କର ପରା କୃଷ୍ଣ ହୋଇ,

ଏଣୁ କରି ତୋର କୃଷ୍ଣ ନାମ ଗୋଟି ବାଛି ଦେଇଛନ୍ତି ବିହି ।

କେତେ ଆଜି ଗାଳି ଦେଲି ବନମାଳୀ ନ ଘରିବ ଦାସୀ ଦୋଷ,

ଇଚ୍ଛାମୟଙ୍କର ଇଚ୍ଛା ପୂର୍ଣ୍ଣ ହେଉ ଏହି ମୋହର ଆଶିଷ ।

ଯାହାଙ୍କର ଆଖି ଅଟେ ବିଶ୍ଵ ଆଖି ବାହ୍ୟାନ୍ତରେ ଅଛି ପୂରି,

ଦେଖୁନାହାନ୍ତି ସେ ବୋଲି କହିବି କି ମୋ ଦୁଃଖ ସୁଖ ଯେପରି ।

ଶ୍ୟାମ ସୁନ୍ଦରଙ୍କୁ ଯେ ସୁନ୍ଦର ଦିଶେ ତାହା କର ମୋ ସୁନ୍ଦର,

ଅପରା ସପତଣୀଙ୍କ ପଦେ ରଖ; ଦେଖିବି ମୁଁ ଆନନ୍ଦର ।

ସେ ଯଦି ତୁମ୍ଭ ପାଦ ପଦ୍ମେ ରହନ୍ତା ମୋତେ ପଛେ ପଛ କରି,

ଆନନ୍ଦ ସାଗରେ ସ୍ନାନ ମୁଁ କରନ୍ତି ହୁଅନ୍ତି ତା’ର କିଙ୍କରୀ ।

ସେ ଯଦି ଅଙ୍ଗକୁ ସମର୍ପଣ କରି ଦିଅନ୍ତା ତୁମ୍ଭ ପ୍ରୀତ୍ୟର୍ଥେ,

ସବୁବେଳେ ମୁଁ ତା ସହଚରୀ ହୋଇ ରହିଥାନ୍ତି ତା ର ସାଥେ ।

ତୁମ୍ଭର ଏ ଦେହ ସଂଭୋଗ ସାଧନ ଯଦି କହନ୍ତା ଅପରା,

ସବୁବେଳେ ସେହି ନାରୀର କିଙ୍କରୀ ହୋଇ ରହନ୍ତା ଏ ପରା ।

ମାର୍ଜନ; ଭୂଷଣ ସବୁ ନାରାୟଣ ପାଇଁ ମୁଁ ହେଉଛି ବସି,

ଏ କଥା ଯଦି କହନ୍ତା ସେ ଅପରା ମୁଁ ହୁଅନ୍ତି ତା’ର ଦାସୀ ।

ଡାକନ୍ତା ଅପରା ଆସ ଗୋ ସଙ୍ଗାତ ! ଯିବା ଈଶ୍ଵର ଦର୍ଶନେ,

ଆଉ ସପତଣୀ ଈର୍ଷା ରହନ୍ତା କି ସେବନ୍ତି ତା’କୁ ଯତନେ ।

ଡାକନ୍ତା ଅପରା ଗୋ ସଜନୀ ପରା ଦୁଃଖ କରୁଛି କାହିଁକି ?

ତୁ ଚିନ୍ତା କରୁଛୁ ଯାହା ପାଇଁ ବସି ମୁଁ କରେ ତାହା ପାଇଁକି ।

ସେତେବେଳେ ମୋ’ର ଅଷ୍ଟ ଅଳଙ୍କାର ସମସ୍ତେ କରନ୍ତେ ନୃତ୍ୟ,

ତୁମ୍ଭେ ହୃଦେଶ ହେ ! କୃପା ନ କରିଲେ କାହିଁ ମିଳିବ ଏ ଅର୍ଥ ।

ଭିନ୍ନ ଭିନ୍ନ କରି ଯନ୍ତ୍ର ତିଆରିଛ ତୋ ଛଡ଼ା ବାଇବ କିଏ,

ଇଚ୍ଛାମୟ ଇଚ୍ଛା ହେଲେ ବଜାଇବ ସଂସାରର କର୍ତ୍ତା ଯିଏ ।

ମୋତେ ଶକ୍ତିହୀନ କଲ ଜୀବଧନ ତେଣୁ ଡରେ ଅପରାକୁ,

ଶକ୍ତି ଥିଲେ ମୋ’ର ପଛେ ସେ ଗୋଡ଼ାନ୍ତା ପରାର ଦାସୀ ହେବାକୁ

ଚତୁର୍ବିଂଶ ତତ୍ତ୍ଵ ତୁମ୍ଭରି ସେବାରେ ସମସ୍ତେ ରହନ୍ତେ ଲାଗି,

ଉଭୟ ଯୋଗରେ ତୁମ୍ଭ ପଦ ସେବି ହୁଅନ୍ତି ମୁଁ ଅନୁରାଗୀ ।

ପଞ୍ଚ ମହାଭୂତ, ବୁଦ୍ଧି, ଅହଂକାର, ମନ ମିଶାଇ ଅପରା,

ଏହି ଆଠ ଯଦି ସଖୀ ଅଙ୍ଗେ ଯା’ନ୍ତେ ନିସ୍ତରି ଯାଆନ୍ତା ପରା ।

ବାକି ଷୋଳ ସ’ସ୍ର ତୁମ୍ଭରି ପ୍ରେମର ବିକାର ରୂପେ ରହନ୍ତେ,

ଆଠଙ୍କର ପାଠ ପଢ଼ି ଷୋଳ ଜଣ ତୁମ୍ଭରି ସେବାରେ ଥା’ନ୍ତେ ।

ତେବେ ଚୌରାଅଶି କ୍ରୋଶ ବୃନ୍ଦାବନ ଦିଶନ୍ତା ଅତି ସୁନ୍ଦର,

ରାଧା ସଖୀ ଗୋପୀ ସଙ୍ଗେ ବିହରନ୍ତି ମୋହର ଶ୍ୟାମସୁନ୍ଦର ।

ସତେ ଅଭାଗିନୀ ଭାଗ୍ୟେ ଘଟିବକି ଉଇଁବେ ମୋ ଦିନମଣି,

ଚତୁର୍ଦ୍ଦଶ ଲୋକ ଦିଶିବ ଆଲୋକ ଫୁଟିବ ହୃଦ ନଳିନୀ ।

ବସିଛି ଚାତକ ଘନକୁ ଅନାଇ ଘନ ଯଦି ନ ବର୍ଷିବ,

ଶ୍ୟାମଘନ ମୋର ଦୟାଳୁ ଠାକୁର ନିଶ୍ଚୟ ବନ ବର୍ଷିବ ।

ନୋହିଲେ ଏଠାରେ ଯାଇ ଅନ୍ୟଠାରେ ରହନ୍ତାଣି କେତେ ଦିନୁ,

ବାଞ୍ଛା କଳ୍ପତରୁ ନାମ ଯେଣୁ ତୋ’ର କିଏ ସେ ଭୁଲିବ ମନୁ ।

ଯେ ଯାହା ବାଞ୍ଛା କରଇ ଫଳ ଦିଅ ହେ ପରା ଅପରା ପ୍ରାଣ,

ସ୍ଵତଃସିଦ୍ଧ ପ୍ରଭୁ ମୋ ହୃଦ ମଣ୍ଡନ ତୁମ୍ଭ ପଦରେ ଶରଣ ।

ତୋ ପଦ ସରୋଜେ ଯେଉଁ ସ୍ତବକଲି ଜ୍ଞାନିଙ୍କି ରୁଚିବ ନାହିଁ,

ଜ୍ଞାନ ମିଶ୍ରିତ ଭକ୍ତି ଯା’ର ଥିବ କଣ୍ଠେ ଲମ୍ଵାଇବ ସେହି ।

ଜ୍ଞାନିମାନେ ଅପରାକୁ କାଟି ଦ୍ୟନ୍ତି ବିଷ୍ଣୁ ମାୟା ବୋଲି କରି,

ଅବ୍ୟକ୍ତ ସଙ୍ଗରେ ବ୍ୟକ୍ତ ସମାନ କି କିଏ କହିବ କିପରି ।

ଏଣୁକରି ଜ୍ଞାନୀ ତରବାରି ଧରି ଅପରାକୁ କାଟି ଦ୍ୟନ୍ତି,

ଅକର୍ତ୍ତା, ଅଭୋକ୍ତା ଯଦି ହେବ ଆତ୍ମା ନିଶ୍ଚୟ ମିଳିବ ମୁକ୍ତି ।

ସେ ମୁକତିମାନ ଭକତ ନ ବାଞ୍ଛେ ଭକ୍ତି କି କରଇ ମୂଳ,

କୂଷ୍ଣାନୁଶୀଳନ ଇନ୍ଦ୍ରିୟ ବ୍ୟାପାରେ ଭକ୍ତର ଏହି ସମ୍ଵଳ ।

ଅନନ୍ତ କାମନା ବିସର୍ଜନ କରି କରନ୍ତି ନିର୍ଗୁଣ ଭକ୍ତି,

ଚତୁର୍ବର୍ଗ ତାଙ୍କୁ ଭୁଲାଇ ନପାରେ ପଞ୍ଚ ପୁରୁଷାର୍ଥେ ଥା’ନ୍ତି ।

ହେ ଭକତ ପ୍ରିୟ ଭକ୍ତ ସର୍ବାଶ୍ରୟ ଭକ୍ତର ତୁ ଭଗବାନ,

ଅପରା ପରା ସମ୍ମିଶ୍ରଣେ, କରୁଣା କର ମୋ ଜୀବଜୀବନ ।

ତୋର ପ୍ରେମ ଭକ୍ତି ଅନିର୍ବଚନୀୟ କହିବ କିଏ କିପରି ?

ମୁକ ଯେଉଁପରି ଆସ୍ଵାଦନ କରେ ପୁଚ୍ଛିଲେ କି କହିପାରି ?

ଭକତି ଶକତି ତୁମ୍ଭ ପ୍ରିୟବତି ତୁମ୍ଭ ପାଶେ ବିଦ୍ୟମାନ,

ଭାଷେ ଅଭିରାମ ଅଭୁଲା ବନ୍ଧୁ ମୋ ଅନନ୍ତ ନକର ଧନ ।

Image

 

ଜୀବର ଦ୍ଵାଦଶ ଲକ୍ଷଣାଦି ନିର୍ଣ୍ଣୟ

(ମନ)

 

ପୁଚ୍ଛଇ ମାନସ ବେନି କର ଯୋଡ଼ି,

ତୁମ୍ଭ ପ୍ରସାଦେ ମୋ ଘୁଞ୍ଚିଲା କୁହୁଡ଼ି ।

ବହୁ ଥର ମୋତେ କହିଛ ତିଆରି,

ତା’କୁ ଭୁଲିଛି ମୁଁ ବାଇଆଙ୍କ ପରି ।

ଆଶିଷ କରନ୍ତୁ ରହୁ ମୋର ହେତୁ,

ଭବାର୍ଣ୍ଣବ ତାରଣରେ ତୁମ୍ଭେ ସେତୁ ।

ମୁକ୍ତ ଜନ ବୋଲି କହନ୍ତି କାହାକୁ ?

କେତେ ଲକ୍ଷଣରେ ଜାଣି ହେବ ତାଙ୍କୁ ?

(ଚୈତନ୍ୟ)

ଭାଷନ୍ତି ଚୈତନ୍ୟ ଶୁଣରେ ମାନସ !

ସଂକ୍ଷେପରେ ତା’ର ଶୁଣ ମୁକ୍ତି ରସ ।

ଏହି ଜୀବ ଆତ୍ମା ଅଟଇ କେଶରୀ,

ସର୍ବଦା ଭ୍ରମୁଛି ଶୃଗାଳର ପରି ।

ବିଷ୍ଣୁଙ୍କର ଅଂଶ ଅଟଇ ଏ ଜୀବ,

ଦ୍ଵାଦଶ ଲକ୍ଷଣ ଶୁଣ ତା’ର ଭାବ ।

ଅବିନାଶୀ, ଅପକ୍ଷୟ ଶୂନ୍ୟ ତା’ର,

ଶୁଦ୍ଧ, ଅଦ୍ଵିତୀୟ ଚାରି ମନେ କର ।

ବିକାର ବର୍ଜିତ ସର୍ବାଶ୍ରୟ ସେହି,

ଆତ୍ମ ଜ୍ୟୋଽତିଃ ସର୍ବ ହେତୁ ସେ ବୋଲାଇ ।

ବିଜ୍ଞାତା, ଅସଙ୍ଗ, ସରବ ବ୍ୟାପିତ୍ଵ,

ଦ୍ଵାଦଶରେ ଜୀବ ଅଟେ ଅନାବୃତ ।

ଏପରି ଦ୍ଵାଦଶ ଲକ୍ଷଣ ଜୀବର,

ଯେଣୁ ଏ ଅଂଶ ଅଟଇ ଅଂଶୀଙ୍କର ।

ରହିଅଛି ଅବିଦ୍ୟାରେ ବନ୍ଦୀ ହୋଇ,

କର୍ମ କରୁଅଛି ରୁଦ୍ଧ ଘରେ ରହି ।

ଜାଣିଯିବ ଯେତେବେଳେ ସେ ନିଜକୁ,

ତ୍ୟାଗ କରିଦେବ ଦେହ ଇନ୍ଦ୍ରିୟଙ୍କୁ ।

ଏମାନଙ୍କ ଅଧୀନତା ଛିଣ୍ଡାଇବ,

ସ୍ଵାଧୀନ ହୋଇଣ ଊର୍ଦ୍ଧ୍ଵେ ଦୃଷ୍ଟି ଦେବ ।

ଅଂଶ ଅଂଶିଙ୍କର ହୋଇବ ମିଳନ,

ଏହି ମୁକ୍ତି ବୋଲି ଶୁଣିଥାଅ ମନ ।

ଜୀବ ଦଶାରେ ସେ ଥାଇ ମୁକ୍ତ ହୁଏ,

ଭକତି ମିଳଇ ନ ଥାଏ ସଂଶୟେ ।

ନୋହିଲେ ମୁକତି ମିଳିବ କିପରି ?

ଅପରା ତ ଘେରିଛନ୍ତି ଶତ୍ରୁ ପରି ।

ଯୋଗମାୟାରେ ଆବୃତ ଯେଉଁ ହରି,

ଅଛନ୍ତି ସର୍ବଦା ବର୍ଷା ମେଘ ପରି ।

ନ କାଟିବ ପରା ଯଦି ଏମାନଙ୍କୁ,

କିପରି ଲଭିବ ରସ ସାଗରଙ୍କୁ ?

ଗୁରୁଙ୍କୁ ଭକ୍ତିରେ ପୁଚ୍ଛିଲେ ମିଳଇ,

ସାର ମର୍ମ ତୋତେ କହୁଅଛି ମୁହିଁ ।

ଏହି ଭୋଗ ଆୟତନ ଶରୀରକୁ,

କ୍ଷେତ୍ର ବୋଲି ସିନା ବୋଲନ୍ତି ଏହାକୁ ।

ଏ କ୍ଷେତ୍ରରେ ଯେଉଁ ରହିଛି ପୁରୁଷ,

ମୁଁ ମୁଁ କହୁଅଛି ଯେହି ନିଶିବାସ ।

କ୍ଷେତ୍ରଜ୍ଞଟି ସେହି ତାର ତା ନାମ ପରା,

ଜୀବ ଆତ୍ମା ସେହି, ତା ନାରୀ ଅପରା ।

କାମିନୀ ଫାଶରେ ହୋଇଅଛି ବନ୍ଦୀ,

କହିଲି ଫିଟାଇ ତୋତେ ଏହି ସନ୍ଧି ।

ଏ ଘରଣୀ ଧରି ହୋଇଅଛି ଗୃହୀ,

ଗୃହସ୍ଥ ଆଶ୍ରମ ୟାକୁ ମାତ୍ର କହି ।

ପଞ୍ଚଦଶ କାର୍ଯ୍ୟ ନବଟି କାରଣ,

ପୁରୁଷ ହୋଇଛି ଏହି ଜୀବ-ରାଣ ।

ଚତୁର୍ବିଂଶ ନାରୀ ଧରି ମହାବଳ,

ହୋଇ ଭୋଗ କରେ ବିଷୟା ଜଞ୍ଜାଳ ।

ଏହି ଗୃହିଣୀଙ୍କି ତ୍ୟାଗ କରେ ଯେହି,

ପ୍ରକୃତ ସନ୍ନ୍ୟାସ ତାକୁ ସିନା କହି ।

ବାହ୍ୟ ଆଡ଼ମ୍ଵରେ ଥାଏ ଅବା କିସ ?

ଭେକ ନିଅ ପେଟ ପୋଷ ନାହିଁ ଦୋଷ ।

ସଂଯତ କରିଣ ବାହାର ଇନ୍ଦ୍ରିଙ୍କୁ,

ମନ ଦ୍ଵାରା ଭୋଗ କରେ ବିଷୟାକୁ ।

ଭଣ୍ଡ ତପସ୍ଵୀ ସେ ଛଦ୍ମ ବେଶଧାରୀ,

ବିଶ୍ଵାସ କରିବ କିଏ ସେ କିପରି ?

ଶିଷ୍ୟ ଗଣୁଥିବେ କରିଣ ତାଲିକା,

କାମ କାମନାକୁ ନ କରିଣ ଶଙ୍କା ।

ଏ ଘରରେ ଶାନ୍ତି ନାହିଁ ଯାହାଙ୍କର

କିପରି ହେବ ସେ କୃଷ୍ଣଙ୍କ କିଙ୍କର ?

ଭାଷେ ଅଭିରାମ ମନବୋଧ ବାଣୀ,

ବୁଝି ପାରିଲେ ଏ ଅମୃତର ଖଣି ।

Image

 

ରାମକେରୀ

 

କାରୁଣ୍ୟ କରୁଣାନିଧି ହେ ମୋ ଜୀବନ ସର୍ବସ୍ଵ !

ଜଣାଉଛି ତବ ଚରଣେ ଘେନା କରନ୍ତୁ ଈଶ ।

ତୁମ୍ଭରି ମାହାତ୍ମ୍ୟ ଅନନ୍ତ ପୁଣି ବର୍ଣ୍ଣନାତୀତ,

ଅଜ୍ଞାନ କି ସ୍ତୁତି କରିବ ତେଣୁ ଅକ୍ଷମ ମାତ୍ର ।

ଅକର୍ତ୍ତା ଅଭୋକ୍ତା ହୋଇ ମୁଁ ଭଜୁଛି ଅହଂକାର

ତୁମ୍ଭ କୃପା ବିନା କିପରି ହେବି ତବ କିଙ୍କର ।

ମୁଁ ପରା ତୁମ୍ଭର କିଙ୍କରୀ ଅପରାକୁ କେ ଦେଲା,

ଅଦୃଷ୍ଟ, କାଳ ସ୍ଵଭାବରେ ଅଧିଷ୍ଠିତ କେ ହେଲା ।

ତୁମ୍ଭଙ୍କୁ କିଏ ବା କହିବ, ନାହିଁ କେହି ତ୍ରିଲୋକେ,

ଧୂଳି ଘର ଯେହ୍ନେ ନିର୍ମାଣ କରୁଥାନ୍ତି ବାଳକେ ।

ଯେତିକି ଆନନ୍ଦ ଗଢ଼ିବା ପାଇଁ ଧୂଳି ଘରକୁ,

ସେତିକି ଆନନ୍ଦ ଲାଗଇ ଭାଙ୍ଗି ଦେବାକୁ ତା’କୁ ।

ଭାଙ୍ଗିବା ଗଢ଼ିବା ପାଇଁ କି ଯା’ର ଆନନ୍ଦ ଏକ,

ସେ ନିତ୍ୟାନନ୍ଦଙ୍କୁ କହିବ କିଏ କେଉଁ ପଦକ ।

ଆବିର୍ଭାବ ହୁଅ କଳାଂଶେ ଭୂ-ଭାରାକୁ ଉଶ୍ଵାସ,

ଉଦୟ ଓ ଅସ୍ତ ହୁଅନ୍ତି ଯେଉଁପରି ଦିନେଶ ।

ଦିନମଣି ଉଦେ ହୋଇଲେ ମୋର ଲାଗଇ ଲୀଳା,

ଅସ୍ତାଚଳକୁ ଗଲାବେଳେ ମୋର ବୁଡ଼ଇ ଭେଳା ।

ଅନ୍ଧ, ବଧିର ବାଇ ହୁଏ ଈଶଙ୍କୁ ମୁଁ ନ ପାଇ,

ଶୋଇ ରହିଥାଏ ପୂରୁବ ଦିଗ ଭାଗକୁ ଚାହିଁ ।

ଉଦୟ ହେବେ କେତେ ବେଳେ ମୋର ପରାଣ ସାଇଁ,

ହୃଦୟ ସରୋଜେ ଚାହିଁଛି ସୁଖ ମିହିର ପାଇଁ ।

ସ୍ଵୟଂ ଅବତାରୀ ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ,

ଅଂଶୀ ହୋଇ ଅଂଶ ରୂପରେ ସବୁ ଭୋଗ ବିଳାସ ।

ଅପ୍ରାକୃତ ପ୍ରେମ ମୂରତି ଇନ୍ଦ୍ରିୟାତୀତ ତୁହି,

ଅପ୍ରାକୃତ ଇନ୍ଦ୍ରି ନୋହିଲେ ଦେଖି ପାରିବେ କାହିଁ ।

ତୁମ୍ଭ କୃପା ବିନା ତୁମ୍ଭଙ୍କୁ କିଏ ପାରିବ ଧରି,

ଶରଣଦ ପଦ-କଞ୍ଜରେ ବାଇ କୃପା ଭିକାରୀ ।

କଳ୍ପେ ତୁମ୍ଭ ସଙ୍ଗେ ଖେଳଇ କଳ୍ପେ ତୁମ୍ଭ ଅଙ୍ଗରେ,

ବିଧାତାର ଏକ ଦିବସ ଲୀଳା ତୁମ୍ଭ ସଙ୍ଗରେ ।

ସ୍ଵାମୀ ଦୟାଥିଲେ ଦାସିକି ସିନା କହନ୍ତେ ଡାକି,

ଦାସୀ ବୁଝାଉଛି ସ୍ଵାମୀଙ୍କି ଏ ବିଚିତ୍ର ନୁହେଁ କି ?

ଚାରି ଯୁଗ ସହସ୍ର ବାର ଯେବେ ଆସି ହୁଅଇ,

ବ୍ରହ୍ମାଙ୍କର ଏକ ଦିବସ ତାକୁ କଳପ କହି ।

ଚତୁର୍ଦ୍ଦଶ ମନୁମାନଙ୍କ ହୁଅଇ ଆବିର୍ଭାବ,

ଆଉ ଏକ କଳ୍ପ ହୋଇଲେ ଧାତା ନିଦ୍ରିତ ହେବ ।

ଏହିପରି ଦୁଇ ପରାର୍ଦ୍ଧ କାଳ ହୋଇବ ଯେବେ,

ନୈମିତ୍ତିକ ସେହି ପ୍ରଳୟ ଶୁଣି ଥାଆତୁ ଏବେ ।

ପଞ୍ଚତନ୍ମାତ୍ର ଅହଂକାର, ବୁଦ୍ଧି ଏ ସପ୍ତ ମାତ୍ର,

ପ୍ରାକୃତିକ ପ୍ରଳୟ ଏହି ହୁଅଇ ଆବିର୍ଭୂତ ।

ସେତେବେଳେ ଏ ସପ୍ତ ଲୋକମାନେ ବିନାଶ ହୋନ୍ତି,

ସେତେବେଳେ ମୁହିଁ ଲୁଚଇ ତୁମ୍ଭ ଅଙ୍ଗେ ହେ ପତି !

ସେତେବେଳେ ତୁମ୍ଭେ ଏ ବିଶ୍ଵ ବ୍ରହ୍ମାଣ୍ଡର ସହିତ,

ଆତ୍ମସାତ୍ କରି ଶ୍ରୀହରି ଯୋଗ ନିଦ୍ରାରେ ରତ ।

କାରଣାର୍ଣ୍ଣବରେ ଅନନ୍ତ ଶଯ୍ୟାରେ ଶୁଅ ଯାଇ,

ଆନନ୍ଦେ ଥାଏ ମୁଁ ତବାଙ୍ଗେ ଅଣୁ ଚୈତନ୍ୟ ହୋଇ ।

ପ୍ରେମାନନ୍ଦ ମୂର୍ତ୍ତି ନିର୍ଗୁଣ ସେହି ବେଳେ ଆପଣ;

ତ୍ରିଗୁଣ ସାମ୍ୟବସ୍ଥା ଯୋଗେ ମୋ’ର ନଥିଲା ଗୁଣ ।

କଳ୍ପାରମ୍ଭ ଆସି ହୋଇଲା ଯେତେବେଳେ ହେ ଈଶ !

ତୁମ୍ଭ ଇଚ୍ଛା ଶକ୍ତି ବଳେ ମୁଁ ସିନା ହେଲି ମନୁଷ୍ୟ ।

ତୁମ୍ଭରି ଇଚ୍ଛାରେ ଚୈତନ୍ୟ ସିନା ଜାଗ୍ରତ ହେଲା,

ମୁହିଁ କହୁନାହିଁ ମୋ ଇଚ୍ଛା ଯାହା ତୋ ଇଚ୍ଛା ଥିଲା ।

ଭାବିଲି ମୁଁ ରୂପ ହୋଇବି ବହୁତ ରୂପ ହେବି,

ବହୁରୂପ ହୋଇ ମୋ ପ୍ରଭୁ ସଙ୍ଗେ ଖେଳ ଖେଳିବି ।

ମୋ ଇଚ୍ଛା ତୋ ଇଚ୍ଛା ଗୋଟିଏ ଦୁଇ ନଥିଲା ମାତ୍ର,

ଦୃଷ୍ଟି ପକାଇଲ ଦାସିର ପରେ ହେ ପଦ୍ମ-ନେତ୍ର !

ପରା ପ୍ରକୃତି ମୁଁ ବୋଲାଇ ମହାନ ମୋର ନାମ,

ଜୀବରୂପା ପରମେଶ୍ଵରୀ ଆହେ ପୁରୁଷୋତ୍ତମ !

ମୁଁ ସିନା ତୁମ୍ଭର ପ୍ରକୃତି ମୋ ପ୍ରକୃତି କେ ନାହିଁ,

ଏଣୁ ମୋ ପରେ କୃପା ଦୃଷ୍ଟି ପକାଇଲ ଗୋସାଇଁ ।

ମୋ ସଙ୍ଗେ ଖେଳକୁ ବଳିଲା ଯେଣୁ ତୁମରି ମନ,

ଅଦୃଷ୍ଟ, କାଳ, ସ୍ଵଭାବକୁ ମୋତେ କରିଲ ଦାନ ।

ତୁମ୍ଭେ ପ୍ରାଣେଶ ହେ କାଳରେ ହୋଇଲ ଅଧିଷ୍ଠିତ,

ତ୍ରିଗୁଣ ସାମ୍ୟାବସ୍ଥାମାନ ହୋଇଲା ବିପରୀତ ।

ସୃଷ୍ଟ୍ୟାର୍ଥେ ଉନ୍ମୁଖ ହୋଇଲି ଗୁଣ ତାରତମ୍ୟରେ,

ଅଂଶରେ କାଢ଼ିଲ ଅଙ୍ଗରୁ ତବ ପ୍ରୀତି କାମରେ ।

ସ୍ଵଭାବେ ଅଧିଷ୍ଠିତ ହେଲ ଯେଣୁ ଅଭୁଲା ମୋର,

ଅରୂପୁଁ ଉତ୍ପାଦନ ଶକ୍ତି ଜନମିଲା ମୋହର ।

ଅଦୃଷ୍ଟେ ଅଧିଷ୍ଠିତ ହେଲ ଯେତେବେଳେ ପରାଣ,

ମହତତ୍ତ୍ଵ ଗୋଟି ଜନ୍ମିଲା ମୋର ରମଣ ଶୁଣ ।

ତା’ପରେ ପଞ୍ଚ ମହାଭୂତ ବ୍ୟଷ୍ଚି, ସମଷ୍ଟି ହୋଇ,

ବ୍ରହ୍ମାଣ୍ଡ ଉତ୍ପତ୍ତି କରିଲେ ଗୁଣମାନ ସଜାଇ ।

ସେହି ତିନି ଗୁଣ କର୍ତ୍ତୃତ୍ଵ କାର୍ଯ୍ୟ କାରଣ ହେଲେ,

ତୁମ୍ଭ ଶକ୍ତି ମୁହିଁ ଏମାନେ ମୋତେ ଘେରି ବସିଲେ ।

ଏମାନେ ହୋଇଲେ ପ୍ରକୃତି ମୋତେ କଲେ ପୁରୁଷ,

ଶତେ ପୁର କରି ଘେରନ୍ତି ଆହେ ପରାଣ ଈଶ !

ଚତୁର୍ବିଂଶ ତତ୍ତ୍ଵେ ଛନ୍ଦିଲେ ଯେ ଯାହା ଶକ୍ତି ଘେନି,

ସବୁ ଜାଣି ଶୁଣି ମୋ ପ୍ରାଣପତି ହୋଇଛ ତୁନି ।

ତୁମ୍ଭ କୃପା ଦୃଷ୍ଟି ପଡ଼ିଲେ ଛିଡ଼ିବ ମାୟା ଜାଲ,

ପୁରୁଷ ଉତ୍ତମ ପ୍ରାଣ ହେ ମୁହିଁ ନୁହେଁ ପୁରୁଷ,

ସର୍ବଦା ତୁମ୍ଭର ମୁଁ ଦାସୀ ମୋତେ ନ ଭୁଲ ଈଶ ।

ମୁହିଁ ଏକ ହୋଇ ବ୍ୟାପିଛି ବିଶ୍ଵ ବ୍ରହ୍ମାଣ୍ଡଯାକ,

ଭାଷେ ଅଭିରାମ ମୁଁ ଯହିଁ ତହିଁ ତୁମ୍ଭେ ମାତ୍ରକ ।

Image

 

ଓଁ ଶ୍ରୀଂ (କାଳ ଗଣନା)

(ମନ)

 

ପୁଚ୍ଛଇ ମାନସ ବେନି କରଯୋଡ଼ି,

ଚୈତନ୍ୟଚନ୍ଦ୍ରଙ୍କ ପଦ୍ମ-ପାଦେ ପଡ଼ି,

ଗୋଟିଏ ସଂଶୟ ପଡ଼ିଗଲା ଆସି,

ଦୟାର୍ଦ୍ର ହୃଦୟେ ଦିଅ କୃପାବର୍ଷି ।

ବହୁ ଲୋକଙ୍କର ବହୁ ବହୁ କଥା,

ଶୁଣିକରି ମୋତେ ଲାଗୁଅଛି ବ୍ୟଥା ।

କେ କହନ୍ତି କଳିଯୁଗ ହେଲା ଶେଷ,

ସତ୍ୟଯୁଗ ଆସି ହେଲାଣି ପ୍ରବେଶ ।

କେ ଭାଷନ୍ତି ଏହି ସୁବାହୁ ଦ୍ଵାପର,

କଳି ଆଉ ନାହିଁ ସତ୍ୟ କାରବାର ।

କେ କହନ୍ତି ତ୍ରେତାଯୁଗ ହୋଇଲାଣି,

ରାମ ଜନ୍ମିଛନ୍ତି ବେଳକାଳ ଜାଣି ।

କରିବେ ଯେ ରାମ ରାଇଜ ଏଣିକି,

ଶୁଣିଥାଅ ସର୍ବେ ଆମ୍ଭର ବାଣିକି ।

ହସ ଲାଗୁଅଛି ଶୁଣି ଏ ସକଳ,

ରାବଣ ରାଜ୍ୟ ଏ ଅତି ମହାବଳ ।

କିପରି ହୋଇଲା ରାମରାଜ୍ୟ ଆସି,

ବୁଝାଇ ଦିଅନ୍ତୁ ମୋତେ ଗୌରଶଶି

କଳିଯୁଗମାନ ଶେଷ ହୋଇଛି କି ?

ଅବଶିଷ୍ଟ ତା’ର କେତେକ ଅଛିକି ?

ମୋ’ ଠାରେ ତୁମ୍ଭର ଅଛି ଯେବେ ଶ୍ରଦ୍ଧା,

ଭୁଞ୍ଜାଇ ଦିଅନ୍ତୁ ମୋତେ ସାରସୁଧା

(ଚୈତନ୍ୟ)

ମନ୍ଦେମନ୍ଦେ ହସି ଭାଷନ୍ତି ଚୈତନ୍ୟ,

କହିବି ପ୍ରଚ୍ଛିନ୍ନ କରି ଶୁଣମନ ।

ଯାହା ମୁଁ କହିବି ରଖିବୁ ଗୋପନେ,

ନକହିବୁ କେତେବେଳେ ଦୁଷ୍ଟଜନେ ।

ଯାହାଙ୍କ ମତରେ କଳିଯୁଗ ଶେଷ,

କହିଲେ ତାଙ୍କୁ କରିବେ ପରିହାସ ।

ପ୍ରକୃତ ଜାଣନ୍ତି ଗଣନା ଯେମାନେ,

ପୁଚ୍ଛିଲେ ଭାଷିବୁ ତାଙ୍କୁ ତୁ ଯତନେ ।

ରେ ମାନସ ବିଧାତାଙ୍କ ଆୟୁ ଶେଷ,

ପର୍ଯ୍ୟନ୍ତ କହିବି ଶୁଣ-ନରଈଶ ।

ମନୁଷ୍ୟମାନଙ୍କର ଉତ୍ତରାୟଣ,

ଛ’ମାସ ଦେବତାଙ୍କର ଏକ ଦିନ ।

ଦକ୍ଷିଣାୟନ ଛ’ମାସ ଦେବଙ୍କର,

ରାତ୍ରିଟିଏ ବୋଲି ଜାଣ ଦଣ୍ଡଧର ।

ଏପରି ଦୁଇ ଅୟନେ ବର୍ଷ ଏକ,

ଦେବତାଙ୍କର ଏ ଆହୋରାତ୍ର ଲେଖ ।

ସେବେଳେ ଦେବତା ମେରୁ ପର୍ବତରେ,

ରହନ୍ତି ଉତ୍ତର ଧ୍ରୁବସ୍ଥାନପରେ ।

ଦେବତାମାନଙ୍କ ଅହୋରାତ୍ର ଏକ,

ମନୁଷ୍ୟର ହୁଏ ଗୋଟିଏ ବାର୍ଷିକ ।

ସତ୍ୟ, ତ୍ରେତୟା, ଦ୍ଵାପର,

କଳି ଚାରି ଆମ୍ଭର ଅଟଇ ଏହି ଯୁଗଚାରି,

ସତ୍ୟ ଯୁଗ ଚାରି ହଜାର ବରଷ,

ତ୍ରେତା ଯୁଗ ତିନି ହଜାରରେ ଶେଷ ।

ଦ୍ଵାପରରେ ଦୁଇ କଳି ଏକ ସସ୍ର,

କାଳ ଗଣନା ଏ ଶୁଣ ନରଈଶ ।

ଦୁଇ ସନ୍ଧି କାଳ ଅଟେ “ଦି” ହଜାର,

ବାର ହଜାର ବର୍ଷଏ ଲେଖା କର ।

ଆଦ୍ୟ ଅନ୍ତ ସନ୍ଧି କାଳକୁ ମିଶାଇ,

ଦ୍ଵାଦଶ ସହସ୍ର ଲେଖ ନର ସାଇଁ ।

ଏ ବାର ହଜାର ନୁହେଁ ମନୁଷ୍ୟର,

ଦେବତାମାନଙ୍କ ବର୍ଷ ମନେ କର ।

ମନୁଷ୍ୟର ବୋଲି ଧରି ବସ ଯେବେ,

କଳି ଯାଇ ତ୍ରେତା ହୋଇଲାଣି ତେବେ,

ଗଣନାରେ ଏକ ହଜାର ବରଷ,

ହେଲେ କଳି ଯୁଗ ହୋଇଯାଏ ଶେଷ ।

କଳି ହେଲା ପାଞ୍ଚ ସ’ସ୍ର ପଞ୍ଚାବନ,

ଗଣିଲେ ହେଲାଣି ତ୍ରେତା ଯୁଗମାନ ।

ଏଣୁ ଦେବ ବର୍ଷେ ବାର ସ’ସ୍ର ବର୍ଷ,

ମାନବ ଯୁଗରେ ଚାରି ଯୁଗ ଶେଷ ।

ବାର ହଜାରକୁ ତିନିଶ’ ଷାଠିରେ,

ଗୁଣି ଦେଇ ଦେଖ ତୋ ମାପ କାଠିରେ ।

ତେୟାଳିଶ ଲକ୍ଷ କୋଡ଼ିଏ ହଜାର,

ଚାରି ଯୁଗ ମନୁଷ୍ୟର ମନେ କର ।

ଦେବଙ୍କର ବାର ହଜାର ବରଷ,

ମାନବର ଏକ ମହାଯୁଗ ଶେଷ ।

ମହାଯୁଗ ଏକ ହେଲେ ମନୁଷ୍ୟର,

ଏକ ଯୁଗ ସିନା ହୁଏ ଦେବଙ୍କର ।

ଏପରି ଦେବଙ୍କ ଏକସ୍ତୋରୀ ଯୁଗ,

ହୋଇଲେ ଗୋଟିଏ ମନୁ କରେ ଭୋଗ ।

ଏପରି ଚଉଦ ହେଲେ ମନ୍ଵନ୍ତର,

ଚଉଦ ମନୁରେ କଳ୍ପେ ମନେ କର ।

ଚଉଦ ମନୁରେ ସନ୍ଧି କାଳମାନ,

ପନ୍ଦର ମିଶାଇ ଲେଖ ବାଇମନ ।

ସନ୍ଧ୍ୟାଂଶ ସକାଳ ଅଂଶକୁ ମିଶାଇ,

ହଜାର ଯୁଗ ଏ ଦେବଙ୍କର ହୋଇ ।

ସେତେବେଳେ ବ୍ରହ୍ମାଙ୍କର ଏକ ଦିନ,

କଳ୍ପେ ବୋଲି ତୁହି ଶୁଣିଥାଅ ମନ ।

ମନୁଷ୍ୟର ଚାରି ଅର୍ବୁଦ ବତ୍ରିଶ,

କୋଟି ବର୍ଷ ଯଦି ହୁଏରେ ମାନସ !

ସେତେବେଳେ ଧାତାଙ୍କର ହୁଏ ଦିନେ ?

କଳ୍ପ ଗଣନା ଏ ରଖିଥିବ ମନେ ।

-

ଧାତାଙ୍କର ଏହି ଏକ ଦିନ ହୁଏ ଶୁଣି ପାରିଲୁ ତ ମନ,

ସେତେବେଳେ ଅବ୍ୟକ୍ତରୁ ବ୍ୟକ୍ତ ହ୍ଵନ୍ତି ସକଳ ପଦାର୍ଥମାନ ।

ବ୍ରହ୍ମାଙ୍କର ଏକ ରାତ୍ରୀ ଯଦି ହୋଇ ତାହାକୁ କଳପେ କହି

ସବୁ ବ୍ୟକ୍ତ ଦ୍ରବ୍ୟ ଅବ୍ୟକ୍ତରେ ମିଶେ ଶୁଣ ତୁହି ମନ ବାଇ ।

ବ୍ରହ୍ମାଙ୍କ ଦିବସେ ସୃଜନ ହୁଅଇ, ରାତ୍ରିରେ ହୁଏ ପ୍ରଳୟ,

ଏକ କଳ୍ପେ ଦିନ ଏକ କଳ୍ପେ ରାତି, ଏ ଅହୋରାତ୍ର ନିର୍ଣ୍ଣୟ ।

କିନ୍ତୁ ଏ ପ୍ରଳୟେ ଚନ୍ଦ୍ର ସୂର୍ଯ୍ୟଙ୍କର, ପ୍ରଳୟ ହୁଅଇ ନାହିଁ,

ସମସ୍ତ ଜଗତ ନାଶ ନ ହେବାରୁ, ଏ ପ୍ରଳୟେ ଗଣା ନାହିଁ ।

ବିଧାତା ଆୟୁଷ ଶୁଣ ନରଈଶ, ଦୁଇ କଳ୍ପେ ଏକ ଦିନ,

ଷାଠିଏ କଳ୍ପରେ ଏକ ମାସ ହୁଏ, ବିଧାତାଙ୍କୁ ଶୁଣ ମନ ।

ଏହିପରି ବାର ମାସେ ଏକ ବର୍ଷ, ଶହେ ବର୍ଷ ଯେବେ ହୁଏ,

ବ୍ରହ୍ମାଙ୍କ ଆୟୁଷ ଏହି ଶତ ବର୍ଷ, ହୁଅଇ ମହା ପ୍ରଳୟେ ।

ଏହିପରି କୋଟି କୋଟି ବ୍ରହ୍ମାଙ୍କର, ପ୍ରଳୟମାନ ହୋଇଛି,

ବର୍ତ୍ତମାନ ଯେଉଁ ବ୍ରହ୍ମା ରହିଛନ୍ତି ତାହା ଏବେ ମୁଁ କହୁଛି ।

ପଞ୍ଚାଶ ବରଷ ଭୋଗ ହୋଇ କରି,ଏକାବନ ବର୍ଷାରମ୍ଭ,

ପ୍ରଥମ ଦିନର ମଧ୍ୟାହ୍ନ ଚାଲୁଛି, ଶୁଣ ମନ ମହାଭାଗ ।

ଚଉଦ ମନରୁ ଛଅ; ମନ୍ଵନ୍ତର ଭୋଗ ହୋଇ ସାରିଲାଣି,

ବୈବସ୍ଵତ ମନ୍ଵନ୍ତର ସପ୍ତମ ଏ; ଶୁଣ ମନ ନୃପମଣି ।

ବୈବସ୍ଵତ ମନ୍ଵନ୍ତର ଏକସ୍ତୋରି; ମହାଯୁଗର ମଧ୍ୟରୁ,

ସପ୍ତବିଂଶ ମହାଯୁଗ ପୂର୍ଣ୍ଣ ହେଲା; ଶୁଣ ଏଥିରେ ଉତ୍ତାରୁ ।

ଅଷ୍ଟବିଂଶ ମହାଯୁଗ ଅନ୍ତର୍ଗତ; ବର୍ତ୍ତମାନ ହୋଇଅଛି,

କଳି ଯୁଗ ଆସି ପ୍ରଥମ ପାଦରେ; ପାଞ୍ଚ ହଜାର ଭୋଗିଛି ।

ବାକି ଚାରି ଲକ୍ଷ ସପ୍ତବିଂଶ ସ’ସ୍ର; କଳିର ରହିଛି ବାକି,

ମନୁଷ୍ୟ ଯୁଗରେ ନିର୍ଣ୍ଣୟ କରିଲି; ମନ ବିଶ୍ଵାସ ଗଲୁ କି ।

ବର୍ତ୍ତମାନ କଳ୍ପାନ୍ତରର ପ୍ରଳୟ; ବହୁଦୂର କଥା ସେ ତ,

ବ୍ରହ୍ମାଙ୍କ ମଧ୍ୟାହ୍ନ ଆହୁରି ହୋଇନି; କି କରୁଛୁ ବସି ଅର୍ଥ ।

ଗୋଲକ ନାଥଙ୍କୁ ନିମିଷେ ହୁଅଇ; ଏକ ବ୍ରହ୍ମାଙ୍କ ଆୟୁଷ,

କି ଗଣନାମାନ କରୁଅଛୁ ମନ; ସେହି ପାଦ-ପଦ୍ମେ ରସ ।

ସେ ରମଣପ୍ରିୟ ଭକ୍ତଙ୍କ ଆଶ୍ରୟ; ତାଙ୍କୁ ଚିନ୍ତ ଦିନରାତି,

କର କମଳ ପ୍ରସାରି ଡାକୁଅଛି; ଆସ ବନ୍ଧୁ ମୋର କତି ।

ଅନନ୍ତ କୋଟି ବ୍ରହ୍ମାଣ୍ଡ ଚିନ୍ତାମଣି; ଅନନ୍ତ ବୈକୁଣ୍ଠ ସ୍ଵାମୀ,

ସର୍ବଶକ୍ତିମାନ ପ୍ରଭୁ ଭଗବାନ; ଗୋଲକର ମଥାମଣି ।

ପରଂବ୍ରହ୍ମ ଧାମ ସମସ୍ତ ଉପରେ; ନାମ ତାହାର ଗୋଲକ,

ଏକ ବ୍ରହ୍ମାଙ୍କର ପତନ ହୋଇଲେ; ତାଙ୍କୁ ପଲକ ମାତ୍ରକ ।

କାରଣ ଅର୍ଣ୍ଣବ ବେଢ଼ି ରହିଅଛି; ତାପରେ ଗୋଲକ ଭୂଇଁ,

ଆମ୍ଭର ତେତ୍ରିଶ କୋଟି ଦେବଙ୍କର; କାର୍ଯ୍ୟ କର୍ମ କିଛି ନାହିଁ ।

ସେ ପୁରରେ ଥାଇ ଅନାଇଲେ ସୂର୍ଯ୍ୟ; ଦିଶନ୍ତି ଖଦ୍ୟୋତ ପରି,

ସପତ ସମୁଦ୍ର ବିନ୍ଦୁ ପରି ଦିଶେ; ଶୁଣ ମନ ଦଣ୍ଡଧାରୀ ।

ହିମାଚଳ ଗିରି ଧୂଳି କଣା ପରି; ଉଡ଼ୁଥାନ୍ତି ଗଗନରେ,

ବିଧାତା ବିଧାନୀ ପୁର ସେ ନୁହଁଇ; କି ଉପମା ଦେବି ତା’ରେ ।

ଏତେ ଦୂର ବାଟ ଭକ୍ତଙ୍କୁ ନିକଟ, ଭକତ ଜାଣଇ ତାଙ୍କୁ,

ଭକତ ତାହାଙ୍କୁ ଭଲ କରି ଜାଣେ, ଦିଶୁଥାନ୍ତି ଭକତଙ୍କୁ ।

ଘନୀଭୂତ ଜ୍ଞାନ ଶରୀର ଯାହାର, ରସରାଜ ମୂର୍ତ୍ତି ସେହି,

କୋଟି ମଦନ ଲାବଣ୍ୟ ଝଲସଇ, ଲକ୍ଷ ମାତ୍ର କିଛି ନାହିଁ ।

ଇଚ୍ଛାମୟଙ୍କର ଇଚ୍ଛା ଯେଉଁପରି ସେ ପୁରକୁ ଗଢ଼ିଛନ୍ତି,

ସେ ପୁରେ ଆନନ୍ଦେ ପାରିଷଦ ବୃନ୍ଦ, ଧରି ରାହାସ କରନ୍ତି ।

ଯେତେବେଳେ ଅରୂପକୁ ଇଚ୍ଛାହୁଏ,ଦେଖିବାକୁ ରୂପ ନାହିଁ,

ନିରାକାର ସତ୍ୟ ଅଟନ୍ତି ଶାଶ୍ଵତ, ଅରୂପାନନ୍ଦଟି ସେହି ।

ସେ ପ୍ରଭୁ ଅରୂପ ସେହି ପ୍ରଭୁ ରୂପ, ଯେତେ ଅବତାରମାନ,

ସେହି ସ୍ଥାନୁ ଅଂଶ କଳା ରୂପେ ଆସେ, ଶୁଣ ତୁ ମନ ରାଜନ ।

ଶକ୍ତ୍ୟାବେଶ, ଅଂଶ କଳାରେ ଖସନ୍ତି, ଯେତେବେଳେ ଅବତାର,

ଧର୍ମ ମାର୍ଗେ ରସି, ଦୁର୍ଜନ ବିନାଶି, ଉଶ୍ଵାସନ୍ତି ମହୀ ଭାର ।

ସେହି ଅବତାରୀ ସର୍ବ ଅଂଶୀ ହୋଇ, ଅଂଶ ରୂପେ ବିହରନ୍ତି,

ତାଙ୍କର ବିଳାସ ରୂପ ଅଟେ ଅଂଶ, ମନେରଖ ନରପତି ।

ତେତ୍ରିଂଶ କୋଟି ତା’ ବିଭୂତିର ରୂପ, ସର୍ବ ରୂପେ ବିଳସନ୍ତି,

ଅପ୍ରାକୃତ, ଅବିକୃତ ଜଗନ୍ନାଥ, ଭକତ ତା’ଙ୍କୁ ଜାଣନ୍ତି ।

ଭକତ ଅଟନ୍ତି ନିତ୍ୟ ଦାସ ତା’ର, ସେ ଅଟନ୍ତି ଭକ୍ତ ଈଶ,

ଭକ୍ତଙ୍କ ସୁହୃଦ ପରମ ଆନନ୍ଦ, ଭକ୍ତଙ୍କର ସେ ଆୟୁଷ ।

ଚାରି ବର୍ଗ ପରେ ପାଞ୍ଚ ପୁରୁଷାର୍ଥ, ଅତ୍ୟାନ୍ତିକ ଭକ୍ତିମାନ,

ମହାଭାବ ସମାଧିରେ ବସିଥାନ୍ତି, ଶୂନ୍ୟ କରିଦେଇ ଜ୍ଞାନ ।

ମୁକ୍ତିମାନ ସବୁ ପଛରେ ଗୋଡ଼ାନ୍ତି, ନ ଚାହାଁନ୍ତି ସେ ପଛକୁ,

ଭକ୍ତି କଳ୍ପଲତା ଗୋଲକକୁ ଯାଏ, ଛେଦି ପକାନ୍ତି ଶାଖାକୁ ।

ହୃଦୟ ମନ୍ଦିରେ ବସାଇ ରସାଇ, ଫଳ ଭୁଞ୍ଜାଇ ଦିଅନ୍ତି,

କତରା ଭିତରେ ମାଧୋଇଙ୍କି ରଖି ପ୍ରେମାନନ୍ଦ ହେଉଥାନ୍ତି ।

ସେ ଭକ୍ତ ଜାଣଇ ତା’ଙ୍କୁ ମାତ୍ର ସିନା, ସେ ଜାଣନ୍ତି ସେ ଭକ୍ତକୁ,

ପ୍ରତି ଅଙ୍ଗ ଲାଗି ପ୍ରତି ଅଙ୍ଗ କାନ୍ଦେ, କେ ନ ଥିବ ଜାଣିବାକୁ ।

ଶୁଣିଲୁ ତ ମନ କାଳର ଗଣନ, କହିଲିଣି କେତେ କଥା,

ବିଧାତା ବିଧାନୀ ନୁହଇଁ ଗୋଲକ, ସମସ୍ତଙ୍କର ସେ ମଥା ।

ତା’ଙ୍କ ପରେ ଆଉ ପ୍ରଭୁ କେହି ନାହିଁ, ଅନାଦି ଅଲେଖ ସେହି,

ରୂପ ଅରୂପରେ ଖେଳୁଥାନ୍ତି ବସି, ଭକ୍ତଙ୍କ ମଙ୍ଗଳ ପାଇଁ ।

ଯିଏ ଯେଉଁପରି ଭଜୁଥାଏ ତା’ଙ୍କୁ, ଦର୍ଶନ ଦ୍ୟନ୍ତି ସେପରି,

ସେହି ଅଦ୍ଵିତୀୟ ପୁରୁଷ ଉତ୍ତମ, ଶୁଣ ମନ ଦଣ୍ଡଧାରୀ ।

କେ ଭଜେ ଅରୂପ କେହି ଭଜେ ରୂପ, କଳି ମାତ୍ର ସିନା ଏହି,

ପ୍ରତ୍ୟେକ କୁଞ୍ଜରେ ଏକ ଭଗବାନ, ବୁଝିଲେ କଳି ନ ଥାଇ ।

ଅଛି ଅଳ୍ପ ଦିନ ଏ ମୀମାଂସାମାନ, ନୈମିଷାରଣ୍ୟରେ ହେବ,

ସିଦ୍ଧ ସାଧୁଗଣ ସଭା ଆରମ୍ଭିଣ, ମହାଭାବ ବଛା ଯିବ ।

Image

 

ମନ

 

କୃତାଞ୍ଜଳି ପୁଟେ ସ୍ତବ ଆରମ୍ଭିଲା, ଚୈତନ୍ୟ ଚରଣ ତଳେ,

ଜୟ ଜୟ ଗୁରୁ ପ୍ରେମ କଳ୍ପତରୁ, ରଖନ୍ତୁ ପଦ କମଳେ ।

ଜୟ କେକୀ ପୁଚ୍ଛ ମଣ୍ଡନ ଖଣ୍ଡନ, କର ମୋ’ର ମୋହ ଫାଶ;

ବାରି ବିନା ଶସ୍ୟ ହେଉଅଛି ନାଶ, କୃପା ଭକତି ବରଷ ।

ସର୍ବଶକ୍ତିମାନ ତୁମ୍ଭେ ଭଗବାନ, ମୁଁ ହୋଇଛି ଶକ୍ତି ହୀନ,

ଭକତି ଶକତି ପ୍ରଦାନ କର ହେ ! କେକୀ ପୁଚ୍ଛ ବିମଣ୍ଡନ ।

କୀଟହୁଁ ବ୍ରହ୍ମ ପର୍ଯ୍ୟନ୍ତ ଶାନ୍ତି ନାହିଁ, ତୁମ୍ଭେ ମୋ ଶାନ୍ତି କିଶୋର,

ହରତା କରତା କର୍ମ-ଫଳ ଦାତା, ତୁମ୍ଭେ ସକଳ ବିଶ୍ଵର ।

ମୁଁ ଅଟେ ଅକର୍ତ୍ତା, ଅଭୋକ୍ତା ହେ ବନ୍ଧୁ ! ଦୁଃଖୀଠାରୁ ଦୁଃଖୀ ମୁହିଁ,

ତୁମ୍ଭ ଅଂଶ ବୋଲି ନାମ ଭଣାଉଛି, ବହୁତ କୁଟୁମ୍ଵୀ ହୋଇ ।

ଚତୁର୍ବିଂଶ ବଂଶ ବୁଡ଼ନ୍ତୁ ତୋ ପଦ-କଞ୍ଜରେ ହେ ଚିନ୍ତାମଣି,

ତୁମ୍ଭ ପାଇଁ ଦଶଦଶା ପଡ଼ୁ ମୋତେ, ଇତି ତୋ ପଦେ ମାଗୁଣି ।

ଭାଷେ ଅଭିରାମ ରମଣ ପ୍ରିୟ ହେ, ରମାଙ୍କ ମାନସ ହଂସ,

ତୁମ୍ଭ ଅଂଶେ ଅବତାର ହୋଇ ଈଶ ପୃଥିବୀ ଭାରା ଉଶ୍ଵାସ ।

Image

 

ଧର୍ମ

 

ଯାଉ ଉଡ଼ି କଳା କୋଇଲି ମୋ’ର ଆଦେଶ ନେଇ ।

 

ସନାତନ ସିଦ୍ଧ ଗୁପତ ଧର୍ମ କହ ବତାଇ

।୧।

ସସାଗରା ପୃଥ୍ଵୀ ଧରମ ମାର୍ଗ କହିବି ତୋତେ ।

 

ହିନ୍ଦୁ ଖ୍ରୀଷ୍ଟ ଇସଲାମାଦି ଧର୍ମ ଅଛଇ ଯେତେ

।୨।

ଯେ ଧର୍ମ ପରମ ମଙ୍ଗଳ ଜୀବ ଜଗତେ ଥାଇ ।

 

ଏକ ବୋଲି ଜାଣିଥିବୁ ତୁ, ଦୁଇ ବୋଲି ନ ଥାଇ

।୩।

ଯେଉଁ ଧର୍ମ ମାର୍ଗ ଲଭିଲେ ଜୀବ ଲଭେ ହରିଙ୍କି ।

 

କିଏ ଅବା ଲଭି ଅଛି କି ବହୁ ଧର୍ମ କରିକି

।୪।

ଧର୍ମର ମୀମାଂସ ଶୁଣ ତୁ ଯେ ବ୍ରହ୍ମ ନିରୂପଣ ।

 

ଈଶ୍ଵର ପ୍ରୀତ୍ୟର୍ଥେ ସମସ୍ତକର୍ମ କର ଅର୍ପଣ

।୫।

ନିର୍ମଳ କରି ବୁଦ୍ଧି ମନ ରଖ ପ୍ରଭୁ ଚରଣେ ।

 

ପ୍ରୀତି କର ଶୁଦ୍ଧ ଚିତ୍ତରେ ଭ୍ରମ ନୋହିବୁ ଏଣେ

।୬।

ଧର୍ମ କର ବସି ପରମ ବ୍ରହ୍ମଙ୍କ ପ୍ରୀତି ପାଇଁ ।

 

ପବିତ୍ର ଭୂମି ଶୁଦ୍ଧ ଦେଶେ ଭକ୍ତ ଥାଆନ୍ତି ଯହିଁ

।୭।

ଯହିଁଥାନ୍ତି ମୋ’ର ଭକତେ ପୁଣ୍ୟ ଦେଶ ତା ନାମ ।

 

ସକଳ ତୀର୍ଥ ତହିଁ ଥା’ନ୍ତି ତହିଁ ପୁରୁଷୋତ୍ତମ

।୮।

 

 

 

 

ଯେ ଧର୍ମ କରେ ମୋ ଭକତ ସେହି ମାର୍ଗରେ ରସ ।

 

ନାମ କୀର୍ତ୍ତନ ନୃତ୍ୟ ଗୀତ ପଢ଼ି ଆନନ୍ଦେ ବସ

।୯।

ସର୍ବ ସମ୍ପୂର୍ଣ୍ଣରେ ଭଜିବ କର୍ମ ଫଳକୁ ତେଜି ।

 

ସକଳ ଭୂତେ ଥା’ନ୍ତି ହରି ଅନ୍ତର ବାହ୍ୟେ ଭଜି

।୧୦।

ଏକମାତ୍ର ଭଗବାନଙ୍କୁ ବସି ନିରତେ ଭଜ ।

 

ପତିବ୍ରତା ରମଣୀ ପରି ସର୍ବ ସଙ୍ଗକୁ ତେଜ

।୧୧।

ନିର୍ମଳ ନିରାଧାର ହରି ସକଳ ଭୂତେ ଥା’ନ୍ତି ।

 

ବିଶ୍ଵକୁ ମିତ୍ର ପରି ଦେଖ, ଈଶ ସର୍ବତ୍ର ଛନ୍ତି

।୧୨।

ଗଗନ ଯେପରି ବ୍ୟାପିଛି ବିଶ୍ଵ ମୂରତି ହୋଇ ।

 

ତେସନ ସର୍ବ ଭୂତେ ଥା’ନ୍ତି ପରାପର ଯା ନାହିଁ

।୧୩।

ପ୍ରେମତତ୍ତ୍ଵ ଜ୍ଞାନେ ଦେଖ ତୁ ସକଳ ସମାନରେ ।

 

ସାନ ବଡ଼ କେହି ନାହାନ୍ତି ବିଶ୍ଵ ଜୀବ ସୃଷ୍ଟିରେ

।୧୪।

ହୃଦୟ ଦେବତା ସକଳ ଭୂତେ ସମାନେ ଥା’ନ୍ତି,

 

ଅନଳ କଣା ବଡ଼ ସାନ ସବୁ ଅଗ୍ନି ବୋଲାନ୍ତି

।୧୫।

ରବି, ଚନ୍ଦ୍ରମା ରଶ୍ମୀମାନ ଦିନ ରାତ୍ରିରେ ଦେଖ,

 

ବିଚାରିଲେ ସେ ରବି ଶଶି ଏକ ମାତ୍ର ଅଲେଖ

।୧୬।

ତେଣୁ କ୍ରୂରାକ୍ରୂର ସକଳ ଦେଖ ଏକ ସମାନ ।

 

ସକଳ ହୃଦେଶ ବିଶାଳ କେହି ନୁହଁନ୍ତି ସାନ

।୧୭।

ଅହଂକାର ମଦ ମତ୍ସର ଏ ଭାବେ ହୁଏ ଦୂର ।

 

ଦୁଷ୍ଟ ନଷ୍ଟ ପ୍ରକୃତି ସବୁ ହୋଇଯାନ୍ତି ଅନ୍ତର

।୧୮।

ଶ୍ରୀହରି ଚିନ୍ତନ ସମୟେ ଦେଖି ଦେବ ଯାହାକୁ ।

 

ଲଜ୍ଜା ନକରି ହରି ବୋଲି ନିଶ୍ଚେ ନମିବ ତାଙ୍କୁ

।୧୯।

ଉତ୍ତମ ମାର୍ଗ ଏ ବୋଲାଇ, ଲଭ ଏ ମାର୍ଗେ ଈଶ ।

 

ଅନୁଭବୀ ରସ ଚାଖଇ, ଏ ଭାବେ ହୁଅ ଶିଷ୍ୟ

।୨୦।

ଏହି ଧର୍ମ ମାର୍ଗେ ଜନମ ହ୍ଵନ୍ତି ଜଗତ ସାଇଁ ।

 

ହସି କହନ୍ତି ଆଦିମୂଳ ୟା’ପରେ କଥା ନାହିଁ

।୨୧।

ଏ ଧର୍ମେ ମୁଁ ପ୍ରୀତି ହୁଅଇ ଯିଏ ଭଜି ପାରଇ ।

 

ସିଏ ମାତ୍ର ମୋତେ ଜାଣନ୍ତି ଅନ୍ୟ ପାଇବେ କାହିଁ ?

।୨୨।

ଲୋକ ବ୍ୟବହାରେ ଯେ ରସେ ଏହି ଧର୍ମ ନ ଜାଣି ।

 

ବ୍ୟର୍ଥ କର୍ମେ କ୍ଲେଶ ପାଏ ସେ ଶୁଣ ଭକତ ଶ୍ରେଣୀ

।୨୩।

ବୁଧ ଜନମାନେ ଏ ମାର୍ଗେ ସଂସାରୁ ଗଲେ ତରି ।

 

ଅସତ୍ୟମୟ ଶରୀରକୁ ସତ୍ୟ ମାର୍ଗେ ଉଦ୍ଧରି

।୨୪।

ଏ ମାର୍ଗେ ଲଭିବ ଈଶଙ୍କୁ ସୂକ୍ଷ୍ମ ମାର୍ଗଟି ଏହି,

 

ମୁନି ମାନଙ୍କୁ ଅଗୋଚର ଏହି ପଥ ଅଟଇ

।୨୫।

ସତ୍ୟ କହିଯାଏ କୋଇଲି ପରମ ଜ୍ଞାନ ତତ୍ତ୍ଵ ।

 

ଭବ-ସିନ୍ଧୁ ତରି ଏ ଅଟେ ଶୁଣ ସର୍ବ ଭକତ

।୨୬।

ଶ୍ରଦ୍ଧାବାନ ହୋଇ ଯେ ଶୁଣେ ଏହି ଅପୂର୍ବ ବାଣୀ ।

 

ନିଶ୍ଚୟ ସେ ତରିଯାଏଟି ଏ ଭବ ତରଙ୍ଗିଣୀ

।୨୭।

ସିଦ୍ଧ, ଗୁପତ ସନାତନ ଏ ବ୍ରହ୍ମ ନିରୂପଣ ।

 

ଭାଷେ ଅଭିରାମ ରସିକ ଜନଙ୍କର ପରାଣ

।୨୮।

ଧର୍ମ ବୋଲି ଏହି ନଉକା ଗଢ଼ି ଅଛନ୍ତି ବିଧି ।

 

ଏହି ପୋତ ପରେ ବସିଣ କର ସକଳ ସିଦ୍ଧି

।୨୯।

ସକଳ ଭୂତେ ସମ ବୁଦ୍ଧି ଭାଗ୍ୟ ଥିଲେ ମିଳଇ ।

 

ପ୍ରେମମୟୀ ଚିତ୍ତ ଯାହାର ଅନ୍ତର ବାହ୍ୟେ ପାଇ

।୩୦।

ଇତି ମୋ ଆଦେଶ ନେଇ ତୁ କୋଇଲି ଉଡ଼ି ଯିବୁ ।

 

ଭାଷେ ଅଭିରାମ ଭକତ ଜନେ ଗୁପ୍ତେ କହିବୁ

।୩୧।

Image

 

ଜଣାଣ

 

ଶ୍ୟାମସୁନ୍ଦର ହେ ! ଉଇଁବକି ସତେ ଅଂଶେ ।

ତୁମ୍ଭ କୃପାଜଳେ ବୁଡ଼ନ୍ତୁ ସମସ୍ତେ, କେ ନ ରହନ୍ତୁ ଏ ବଂଶେ (ଘୋଷ)

ହେ ସଚ୍ଚିଦାନନ୍ଦ ! ସପତଣୀ ବାଦ ଯେପରି ହୃଦେ ନ ପଶେ,

ଯିବି ଏ ରଙ୍ଗରେ, ତୁମ୍ଭରି ଅଙ୍ଗରେ, ସେବକିନୀ ରୂପେ ରସେ ।୧।

ହେ ମୋର ହୃଦେଶ ! କଳା ଶକ୍ତ୍ୟାବେଶ, ଭୂ-ଭାରାକୁ ଯେ ଉଶ୍ଵାସେ

ହେ ମୋର ପ୍ରାଣେଶ ! ଦତ୍ତକର ଈଶ, ପ୍ରୀତି ତବ ଯେଉଁ ରସେ ।

ଭାଷେ ଅଭିରାମ, ହେ ରମଣ ଶ୍ୟାମ ! ଯେ ତୁମ୍ଭ ପ୍ରୀତି ବରଷେ,

ସେହି ରସେ ଦାସୀ, ହେବି ଦିବାନିଶି, କେବଳ ତୁମ୍ଭ ଆଶିଷେ ।୩।

-

(ସ୍ତବ)

ହେ ଗୁଣବନ୍ତ ହୃଦେଶ ! ନିର୍ଗୁଣରୁ ଆସି ।

ଖେଳୁ ଅଛ ଯା’ ଅନ୍ତ ନ ପା’ନ୍ତି ରବି ଶଶୀ ।

ଚନ୍ଦ୍ର ସୂର୍ଯ୍ୟ ଗ୍ରହଣରେ ସିନା ତୋତେ ଜାଣି ।

ନମୋ ଗୋଲକ ବିହାରୀ ଜୟ ଚିନ୍ତାମଣି ।

ପ୍ରଣୟ ନୈବେଦ୍ୟ ଭକ୍ତି ପୁଷ୍ପ ନାହିଁ ଯା’ର ।

କିପରି ଲଭିବ ଆହେ ଗୋଷ୍ଠ କଳାକର ! ।

କେବଳ ତୋ କୃପାଦୃଷ୍ଟି ପଡ଼ିବ ଯେ’ ଦିନ ।

ଜାଣିବି ହେ ବନ୍ଧୁ ! ମୁହିଁ ତୋତେ ସେହି ଦିନ ।

(ତୁମ୍ଭ) ସଦିଚ୍ଛାରେ ପୂର୍ଣ୍ଣ ହେଉ ବାଇର ଆଶିଷ ।

ହେ ହୃଦ ମିହିର ! ମୋ’ର ହୃଦ ପଦ୍ମେ ବସ ।

ଜୀବନ ସୁତ, ତା ସୁତ ଅଟଇ ଜଗତ ତାତ

ତାସୁତ ସୁତ, ତାସୁତ ସୁତ, ତାସୁତ ସୁତ ।

Image

 

ଜଣାଣ

 

ତା’ଠାରୁ ଜନ୍ମିଲେ ଶତେକ ସୁତ ।

ଗୋଟିଏ ଜଡ଼ ନଅଟି ବଡ଼

ଏକାଅଶୀ ଗୋଟି ଚୁଡ଼ାଦହୀ ଘୋଟି

ପିଇ ଦେଉଥାନ୍ତି ସଡ଼ ସଡ଼ ।

 

ଶେଷରେ ନଅ ଅଟନ୍ତି ଲଙ୍ଗଳା

ଜଜ୍ଞ ଶାଳେ ଦିନେ ହୋଇଲେ ମେଳା

କହିଲେ ଯାହା

ଅଭିରାମ ବସି କହୁଛି ତାହା ।

Image